କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର: ଭୁବନେଶ୍ୱରରୁ ଦୁବାଇକୁ ବିମାନ ଚଳାଚଳ ଲାଗି ଅନୁରୋଧ

ଭୁବନେଶ୍ୱର,୧୮।୯(ବ୍ୟୁରୋ): ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ଆରମ୍ଭ କରିବା ଲାଗି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍‌ ସିଂ ପୁରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି। ତେବେ ଭୁବନେଶ୍ୱରରୁ ଦୁବାଇ ଯାଉଥିବା ଓଡ଼ିଶା ଯାତ୍ରୀଙ୍କ ସୁବିଧା ତଥା ରାଜ୍ୟର ବିକାଶରେ ଏହି ଆକାଶପଥରେ ଯୋଗାଯୋଗର ବଡ଼ ଭୂମିକା ରହିଛି। ଏଣୁ ବେସାମରିକ ବିମାନ ଚଳାଚଳ ପାଇଁ ମନ୍ତ୍ରୀ ସ୍ବତନ୍ତ୍ର ଭାବେ ହସ୍ତକ୍ଷେପ କରି ବିମାନ ସେବା ଲାଗି ବ୍ୟବସ୍ଥା କରିବାକୁ ଧର୍ମେନ୍ଦ୍ର ଚିଠିରେ ଅନୁରୋଧ କରିଛନ୍ତି।

ସେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ପୂର୍ବୋଦୟ ଯୋଜନାରେ ପୂର୍ବ ଭାରତରେ ଓଡ଼ିଶା ବିକାଶର ପେଣ୍ଠସ୍ଥଳୀ ଭାବେ ଆଗକୁ ବଢ଼ୁଛି। ଏପରିସ୍ଥଳେ ରାଜଧାନୀ ଭୁବନେଶ୍ୱର ସହ କେବଳ ଥାଇଲାଣ୍ଡର ବ୍ୟାଙ୍କକ୍‌ ସହ ବିମାନ ସଂଯୋଗ ରହିଛି। ପୂର୍ବରୁ ଭୁବନେଶ୍ୱରକୁ ଦୁବାଇ ସହ ଯୋଡ଼ିବା ଲାଗି ଦାବି ହେଉଛି। ୟୁଏଇର ବିଭିନ୍ନ ଅଞ୍ଚଳରେ ୧୫ହଜାରରୁ ଊର୍ଦ୍ଧ୍ୱ ଓଡ଼ିଆ ବସବାସ କରୁଛନ୍ତି। ସେମାନଙ୍କୁ ରାଜ୍ୟକୁ ଫେରିବା ଲାଗି ପରୋକ୍ଷ ପଥରେ ଆସିବାକୁ ପଡ଼ୁଛି। ଏସବୁକୁ ଦୃଷ୍ଟି ଦେଲେ ଭୁବନେଶ୍ୱର-ଦୁବାଇ ମଧ୍ୟରେ ବିମାନ ଚଳାଚଳ ହେବା ଦ୍ୱାରା ଭାରତର ବିକାଶର ସମ୍ଭାବନା ଆହୁରି ଶକ୍ତିଶାଳୀ ହୋଇପାରିବ।

Share