କେନ୍ଦ୍ର ମନ୍ତ୍ରିମଣ୍ଡଳରେ କାହାକୁ ମିଳିବ ସୁଯୋଗ: ପ୍ରତାପ, ଅପରାଜିତା, ଜୁଏଲ, ଧର୍ମେନ୍ଦ୍ରଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୩୦।୫(ବ୍ୟୁରୋ): ଚଳିତ ସାଧାରଣ ନିର୍ବାଚନରେ ରାଜ୍ୟରୁ ୮ଜଣ ଭାଜପା ଏମ୍‌ପି ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି। ଗତ ଥର ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କୁ କେନ୍ଦ୍ର ମନ୍ତ୍ରୀ ହେବାର ସୁଯୋଗ ମିଳିଥିବା ବେଳେ ଚଳିତ ଥର କିଏ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ସାଧାରଣ ଜୀବନଯାପନ ଶୈଳୀକୁ ନେଇ ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଥିବା ଏମ୍‌ପି ପ୍ରତାପ ଷଡ଼ଙ୍ଗୀଙ୍କୁ କେନ୍ଦ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି। ସେହିଭଳି ଭୁବନେଶ୍ୱର ଲୋକ ସଭାରୁ ନିର୍ବାଚିତ ହୋଇଥିବା ଅପରାଜିତା ଷଡ଼ଙ୍ଗୀ, ଧର୍ମେନ୍ଦ୍ର ଏବଂ ଜୁଏଲ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହେବା ନେଇ ଆଲୋଚନା କରାଯାଉଛି।

ପ୍ରକାଶଯୋଗ୍ୟ, ଚଳିତ ଲୋକ ସଭା ନିର୍ବାଚନରେ ଭାଜପା ସରକାର ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ ବିଜୟୀ ହୋଇଛି। ଗୁରୁବାର ରାତି ୭ଟାରେ ପ୍ରଧାନମନ୍ତ୍ରୀ ଭାବେ ଦ୍ୱିତୀୟ ଥର ଲାଗି ନରେନ୍ଦ୍ର ଦାମୋଦର ଦାସ ମୋଦି ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଭବନ ପରିସରରେ ମୋଦି ନୂଆ ମନ୍ତ୍ରୀ ପରିଷଦ ସହ ଶପଥ ନେବେ।

Share