କେନ୍ଦ୍ର ମାନବ ସମ୍ବଳ ବିକାଶ ଯୁଗ୍ମ ସଚିବଙ୍କ ସମୀକ୍ଷା

ଢେଙ୍କାନାଳ ଅଫିସ, ୧ା୨ – କେନ୍ଦ୍ର ମାନବ ସମ୍ବଳ ବିକାଶ ବିଭାଗର ଯୁଗ୍ମ ସଚିବ ସଚିନ୍‌ ସିହ୍ନା ଏବଂ ରାଜ୍ୟ ସମଗ୍ର ଶିକ୍ଷା ପ୍ରକଳ୍ପ ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ ଶୁକ୍ରବାର ଢେଙ୍କାନାଳ ଜିଲା ଗସ୍ତ କରି ବିଭିନ୍ନ ସରକାରୀ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଉଭୟେ ଗୁଣାତ୍ମକ ଶିକ୍ଷାର ସମୀକ୍ଷା କରିବା ସହ ବିଦ୍ୟାଳୟର ଭିତ୍ତିଭୂମି ପରଖିଥିଲେ। ଏଥିସହ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଅର୍ଥର ସୁବିନିଯୋଗ, ମଧ୍ୟାହ୍ନଭୋଜନ ବ୍ୟବସ୍ଥାର ତଦାରଖ କରିଥିଲେ।
ଉଭୟ ସଚିବ କଙ୍କଡ଼ାହାଡ଼ ବ୍ଲକର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ଡଙ୍ଗାପାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସଦର ବ୍ଲକର ସପ୍ତଶଯ୍ୟା ହାଇସ୍କୁଲ, ମହୁଲି ଉପ୍ରା ବିଦ୍ୟାଳୟ ସମେତ ବିଭିନ୍ନ ହାଇସ୍କୁଲ ଏବଂ ପ୍ରାଥମିକ ବିଦ୍ୟାଳୟ ବୁଲି ଦେଖିଥିଲେ। ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଦିଗରେ ଯତ୍ନବାନ ହେବା, ସ୍କୁଲ ପରିବେଶକୁ ସ୍ବଚ୍ଛ ରଖିବାକୁ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ପରାମର୍ଶ ଦେଇଥିଲେ। ସଚିବଙ୍କ ଗସ୍ତ ସମୟରେ ସଦର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକଙ୍କ ସମେତ ଶିକ୍ଷା ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ। ଏଥିପୂର୍ବରୁ ସ୍ଥାନୀୟ ସର୍କିଟ ହାଉସରେ ଉଭୟ ଅଧିକାରୀ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ, ଜିଲା ଶିକ୍ଷା ଅଧିକାରୀ ସୁଧାନନ୍ଦ ପରିଡ଼ାଙ୍କ ସହ ଶିକ୍ଷା ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ।