କେନ୍ଦ୍ର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନୋଟିସ

କଟକ ଅଫିସ,୨୩ା୧: ଚୌଦ୍ୱାରସ୍ଥିତ ଇଣ୍ଡିଆନ ମେଟାଲ୍‌ସ ଆଣ୍ଡ ଫେରୋ ଆଲଏଜ୍‌ (ଇମ୍ଫା) କମ୍ପାନୀ ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ବିଚାରପତି ଜଷ୍ଟିସ ଏସ୍‌.କେ. ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ମାମଲାର ଶୁଣାଣି କରି କେନ୍ଦ୍ର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ରିପୋର୍ଟ ତଲବ କରିଛନ୍ତି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ପରବର୍ତ୍ତୀ ଶୁଣାଣି ଦିନ ବନ୍ଦ ଲଫାପାରେ ରିପୋର୍ଟ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଫେବୃୟାରୀ ୨୪ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ୟ ହୋଇଛି। ଚୌଦ୍ୱାର ପୌରପାଳିକା ଅଧୀନ ୧୬ ନମ୍ବର ୱାର୍ଡର ଶ୍ରୀକାନ୍ତ ବେହେରାଙ୍କ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି। ଆବେଦନକାରୀ ବେହେରା ପିଟିଶନରେ ଉଲ୍ଲେଖ କରିଛନ୍ତି ଯେ, ଇମ୍ଫା ପକ୍ଷରୁ ପରିବେଶ ଆଇନର ଉଲ୍ଲଂଘନ କରାଯାଉଛି। ଯଦ୍ଦ୍ବାରା ସ୍ଥାନୀୟ ବାୟୁମଣ୍ଡଳ ପ୍ରଦୂଷିତ ହେବା ସହ କମ୍ପାନୀରୁ ନିର୍ଗତ ହେଉଥିବା ବିଷାକ୍ତ ଜଳ ଓ ବର୍ଜ୍ୟବସ୍ତୁ ସ୍ବାସ୍ଥ୍ୟହାନିର କାରଣ ପାଲଟୁଛି। ମୁଖ୍ୟତଃ ବାୟୁ ପ୍ରଦୂଷଣ ଦ୍ୱାରା ସେଠାକାର ଲୋକେ ବିଭିନ୍ନ ରୋଗରେ ପଡ଼ୁଛନ୍ତି। ବିଳମ୍ବିତ ରାତିରେ କମ୍ପାନୀ ବାୟୁମଣ୍ଡଳକୁ ଧୂଅଁା ଛାଡୁଥିବାବେଳେ ବର୍ଷା ସମୟରେ ବର୍ଜ୍ୟଜଳ ଛାଡୁଛି। ଏପରିକି ପରିବେଶ ବିଭାଗର ସର୍ତ୍ତାବଳୀକୁ କମ୍ପାନୀ ଅନୁପାଳନ କରୁ ନ ଥିବା ଆବେଦନକାରୀ ପିିଟିଶନରେ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବ୍ରଜ କିଶୋର ପଣ୍ଡା ମାମଲା ପରିଚାଳନା କରୁଛନ୍ତି।

Share