Categories: ଗଞ୍ଜାମ

କେନ୍ଦ୍ର-ରାଜ୍ୟ ସରକାରଙ୍କ ଜନ ବିରୋଧୀ ନୀତିର ପ୍ରତିବାଦ: ଗଞ୍ଜାମ ଜିଲା କଂଗ୍ରେସର ବିକ୍ଷୋଭ, ଗଣଧାରଣା

ବ୍ରହ୍ମପୁର ଅଫିସ,୨୩ା୧୧-କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ବିରୋଧୀ ନୀତି ଏବଂ ବହୁମୁଖୀ ଦୁର୍ନୀତି ପ୍ରତିବାଦରେ ଗଞ୍ଜାମ ଜିଲା କଂଗ୍ରେସ ପକ୍ଷରୁ ଶୁକ୍ରବାର ବ୍ରହ୍ମପୁରରେ ଶୋଭାଯାତ୍ରା ସହ ଦକ୍ଷିଣାଞ୍ଚଳ ଆରଡିସିଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ ଓ ଗଣଧାରଣା ଦିଆଯାଇଥିଲା। ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଦ୍ୱିତୀୟ ପାଳି କ୍ଷମତାସୀନ ହେବା ପରେ ଦେଶ ଅର୍ଥନୀତିକୁ ଧ୍ୱଂସ କରି ଦେଇଥିବାରୁ ମାନ୍ଦାବସ୍ଥା ଯୋଗୁ ସବୁ କ୍ଷେତ୍ରରେ ଓ ବିଶେଷକରି ଶିଳ୍ପାନୁଷ୍ଠାନରେ ଉତ୍ପାଦନ ହ୍ରାସ ପାଇଥିବା ସଙ୍ଗିନ ଅଭିଯୋଗ କରାଯାଇଥିଲା। ଫଳରେ ଦେଶରେ ବେକାରି ଦ୍ରୁତଗତିରେ ବଢ଼ି ଚାଲିଛି ଏବଂ ଲାଭଜନକ ସଂସ୍ଥା ଇଣ୍ଡିଆନ ଏୟାର ଲାୟନ୍ସ, ଭାରତ ପେଟ୍ରୋଲିୟମ ଆଦିର ଅଂଶଧନ ବିକ୍ରି କରାଯିବା ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରର ମୋଦି ଏବଂ ରାଜ୍ୟ ନବୀନ ସରକାର ଦୁର୍ନୀତିକୁ ନୀତି ଭାବେ ଗ୍ରହଣ କରୁଥିବା ସମାଲୋଚନା କରାଯାଇଥିଲା ।
ଜିଲା କଂଗ୍ରେସ କାର୍ଯ୍ୟାଳୟ ବାପୁଜୀ ଆଶ୍ରମ ପାଖରୁ ଶୋଭାଯାତ୍ରା ବାହାରିଥିଲା। ରାସ୍ତା ପରିକ୍ରମା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧରେ ସ୍ଲୋଗାନ ଦିଆଯାଇଥିଲା। ଗତ ସାଧାରଣ ନିର୍ବାଚନରେ ବ୍ରହ୍ମପୁର ଲୋକ ସଭା ଆସନର କଂଗ୍ରେସ ପ୍ରାର୍ଥୀ ଭି. ଚନ୍ଦ୍ରଶେଖର ନାଇଡ଼ୁ, ଜିଲା ସଂଗଠନର କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ନଗର କଂଗ୍ରେସ ସଭାପତି ପ୍ରମୋଦ କୁମାର ଜେନା, ଆଇନ ସେଲ ମୁଖ୍ୟ ଶିବରାମ ପାତ୍ର ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଭୋକାଲୀ ସେଠୀ, ପ୍ରଫୁଲ୍ଲ ପଣ୍ଡା, ଧର୍ମାରାଜୁ ରେଡ୍ଡୀ ଓ ସୁବାସ ରାଉତ ପ୍ରମୁଖ ବିଧାୟକ ପ୍ରାର୍ଥୀମାନେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଇ ପ୍ରସାଦ ପାତ୍ର, ବୃନ୍ଦାବନ ଖଟେଇ, ରବି ଅଧିକାରୀ, ବିଜୟରାଜ ପାଣିଗ୍ରାହୀ ଓ ଅନେକ ଯୁବ, ଛାତ୍ର, ମହିଳା କଂଗ୍ରେସ କର୍ମୀମାନେ ସାମିଲ ହୋଇଥିଲେ ।
ଶୋଭାଯାତ୍ରା ପହଞ୍ଚତ୍ବା ପରେ ଆରଡିସି ଅଫିସ ଆଗରେ ବିକ୍ଷୋଭ ସହ ଗଣଧାରଣା ଦିଆଯାଇଥିଲା। ଆନ୍ଦୋଳନ ସ୍ଥଳରେ ହୋଇଥିବା ପ୍ରତିବାଦ ସଭାରେ କାର୍ଯ୍ୟକାରୀ ସଭାପତି ପଣ୍ଡା ଅଧ୍ୟକ୍ଷତା କରିଥିଲେ। ପ୍ରମୋଦ, ଶିବ ଓ ଅନ୍ୟମାନେ ଭାଷଣ ପ୍ରସଙ୍ଗରେ ରାଜ୍ୟ ବିଜେଡି ଶାସନରେ ଆଇନ ଶାସନ ଲୋପ ପାଇଥିବା ଏବଂ ନାରୀ ନିର୍ଯାତନା ସାଙ୍ଗକୁ ନାବାଳିକା ବଳାତ୍କାରରେ ଓଡ଼ିଶା ଏବେ ଏକ ନମ୍ବର ମାନ୍ୟତା ପାଇବାକୁ ଯୋଗ୍ୟ ହୋଇଥିବା କଟାକ୍ଷ କରାଯାଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ବିରୋଧୀ କାର୍ଯ୍ୟର ଅନ୍ତ ଘଟାଇ ଦୁର୍ନୀତିମୁକ୍ତ ଶାସନ ପ୍ରତିଷ୍ଠାରେ ହସ୍ତକ୍ଷେପ କରିବା ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଆରଡିସିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।