ନୂଆଦିଲ୍ଲୀ,୧୯।୩: କରୋନା ଭାଇରସର ସଂକ୍ରମଣକୁ ଦେଖି କେନ୍ଦ୍ର ସରକାର ବି ଓ ସି ଗ୍ରୁପର ୫୦ ପ୍ରତିଶତ ସରକାରୀ କର୍ମଚାରୀ ନିତିଦିନ କାର୍ଯ୍ୟାଳୟ ଆସିବେ ବୋଲି କହିଛନ୍ତି। ବାକି ୫୦ ପ୍ରତିଶତ କର୍ମଚାରୀ ଘରେ ରହି କାମ କରିବେ ବୋଲି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନେ ଘରେ ରହି କାମ କରିବେ ସେମାନଙ୍କ ପାଇଁ ସମୟ ନିର୍ଦ୍ଧାରଣ କରାଯିବ। ଏହି ନିଷ୍ପତ୍ତି କେନ୍ଦ୍ର କର୍ମଚାରୀ, ଜନ ଅଭିଯୋଗ ଏବଂ ପେନସନ୍ ମନ୍ତ୍ରଣାଳୟ ଦ୍ୱାରା ନିଆଯାଇଥିବା ସୂଚନା ମିଳିଛି। ଏହା ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଲାଗୁ ହୋଇପାରେ ବୋଲି କୁହାଯାଉଛି। କେନ୍ଦ୍ର ସରକାରଙ୍କ ଯେଉଁ କର୍ମଚାରୀମାନେ କରୋନା ସମ୍ପର୍କିତ କାର୍ଯ୍ୟରେ ନିୟୋଜିତ ଅଛନ୍ତି ସେମାନଙ୍କ ପାଇଁ ଏହା ଲାଗୁ ହେବ ନାହିଁ ବୋଲି କୁହାଯାଇଛି।