କେନ୍ଦୁଝର,୨।୮(ସ୍ବ.ପ୍ର.): କେନ୍ଦ୍ର ସରକାରଙ୍କ ଶ୍ରମ ବିରୋଧୀ କାର୍ଯ୍ୟ ପ୍ରତିବାଦରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଶୁକ୍ରବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ବହୁ ସଂଖ୍ୟାରେ ଶ୍ରମିକ ଏଥିରେ ସାମିଲ ହୋଇଥିଲେ। ବ୍ୟାନର ଓ ପତାକା ଧରି ନଗର ଭବନ ପଡ଼ିଆରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କେନ୍ଦ୍ର ସରକାର ଶ୍ରମ ଆଇନକୁ ପରିବର୍ତ୍ତନକରି ଶ୍ରମିକ ବିରୋଧୀ କାର୍ଯ୍ୟ କରୁଥିବା ସେମାନେ ଅଭିଯୋଗ କରିଥିଲେ। ଏଆଇଟିୟୁସି, ସିଆଇଟିୟୁ, ଆଇଏନ୍ଟିୟୁସି, ବିଏମ୍ଏସ ଆଦି ସଂଗଠନ ଏଥିରେ ସାମିଲ ଥିଲେ। ଏଆଇଟିୟୁସିର ରାଜ୍ୟ ଉପ ସାଧାରଣ ସମ୍ପାଦକ ରାମକୃଷ୍ଣ ପଣ୍ଡା ଯୋଗଦେଇ ମୋଦି ସରକାରଙ୍କ ଶ୍ରମିକ ମାରଣ ନୀତିକୁ ସମାଲୋଚନା କରିଥିଲେ । ଏଆଇଟିୟୁସିର ରାଜ୍ୟ ସମ୍ପାଦକ ମହେଶ୍ୱର ରାଉତଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ।