Categories: ଖେଳ

କେପିଏଲ ଫିକ୍ସିଂ ସ୍କାଣ୍ଡାଲ: ଦୁଇ କ୍ରିକେଟର ଗିରଫ

ବେଙ୍ଗାଲୁରୁ,୭।୧୧(ପି.ଟି.)- ଆଇପିଏଲର ୩ ଦଳ ପାଇଁ ଖେଳିଥିବା ପ୍ରଥମ ଶ୍ରେଣୀ କ୍ରିକେଟର ସି.ଏମ୍‌. ଗୌତମ ଓ ତାଙ୍କର ପୂର୍ବତନ କର୍ନାଟକ ସାଥି ଖେଳାଳି ଆବରାର କାଜିଙ୍କୁ ଗୁରୁବାର ଗିରଫ କରାଯାଇଛି। ଉଭୟେ କର୍ନାଟକ ପ୍ରିମିୟର ଲିଗ୍‌ (କେପିଏଲ) ସ୍ପଟ୍‌ ଫିକ୍ସିଂ ପାଇଁ ଅର୍ଥ ନେଇଥିବା ଜଣାପଡ଼ିଛି। ବେଲାରି ଟସ୍କର୍ସ ଅଧିନାୟକ ତଥା ପୂର୍ବତନ ଉଇକେଟକିପର ବ୍ୟାଟ୍ସମ୍ୟାନ ଗୌତମ ଓ କାଜିଙ୍କୁ ସହରର ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ (ସିସିବି) ଗିରଫ କରିଛି। କେପିଏଲର ଗତ ଦୁଇ ସିଜନରେ ସ୍ପଟ୍‌ ଫିକ୍ସିଂ ହୋଇଥିବା ଅଭିଯୋଗର ସିସିବି ତଦନ୍ତ କରୁଛି। କେପିଏଲ ଫିକ୍ସିଂରେ ଜଡ଼ିତ ଥିବା ଦୁଇ ଖେଳାଳିଙ୍କୁ ଗିରଫ କରାଯାଇଛି ବୋଲି ଅତିରିକ୍ତ କମିଶନର ପୋଲିସ ସନ୍ଦୀପ ପାଟିଲ କହିଛନ୍ତି। ତଦନ୍ତ ପ୍ରକ୍ରିୟାରେ ଆହୁରି ଖେଳାଳିଙ୍କ ଗିରଫ କରାଯାଇପାରେ। ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟ ପାଇଁ ଘୋଷିତ ଗୋଆ ଓ ମିଜୋରାମ ଦଳରେ ଉଭୟ ଖେଳାଳି ସ୍ଥାନ ପାଇଛନ୍ତି। ପୋଲିସ କହିବା ଅନୁଯାୟୀ, ଚଳିତବର୍ଷ ବେଲାରି ଟସ୍କର୍ସ ଓ ହୁବଲି ଟାଇଗର୍ସ ମଧ୍ୟରେ ଖେଳାଯାଇଥିବା କେପିଏଲ ଫାଇନାଲରେ ଦୁହେଁ ଧୀମା ବ୍ୟାଟିଂ କରିବା ଲାଗି ୨୦ ଲକ୍ଷ ଟଙ୍କା ଗ୍ରହଣ କରିଥିଲେ। ହୁବଲି ଟାଇଗର୍ସ ୮ ରନ୍‌ରେ ଜିତି ଚାମ୍ପିୟନ ହୋଇଥିଲା। ଧୀମା ବ୍ୟାଟିଂ ଓ ଅନ୍ୟ କାରଣ ପାଇଁ ୨୦ ଲକ୍ଷ ଟଙ୍କା ନେଇଥିଲେ। ବେଙ୍ଗାଲୁରୁ ଦଳର ଖେଳାଳି ନିଶାନ୍ତ ସିଂ ଶେଖାଓ୍ବତଙ୍କ ସହ ଚଳିତ ସପ୍ତାହରେ ପଚାରଉଚରା ପରେ ଏହି ସବୁ ଗିରଫ କରାଯାଇଛି। ଗତ ୨୬ ତାରିଖରେ ବେଙ୍ଗାଲୁରୁ ବ୍ଲାଷ୍ଟର୍ସ ବୋଲିଂ କୋଚ୍‌ ଭିନୁ ପ୍ରସାଦ ଓ ବ୍ୟାଟ୍ସମ୍ୟାନ ବିଶ୍ୱନାଥନ ଗିରଫ ହୋଇଥିଲେ। ୩୩ ବର୍ଷୀୟ ଗୌତମ ଦିଲ୍ଲୀ ଡେୟାରଭେଡିଲ୍ସ, ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (ଆରସିବି) ପାଇଁ ଆଇପିଏଲରେ ଖେଳିଛନ୍ତି। ସେହିଭଳି ୩୦ ବର୍ଷୀୟ କାଜି ୨୦୧୧ରେ ଆରସିବି ପାଇଁ ଖେଳିଥିଲେ। କିନ୍ତୁ ଛାପ ଛାଡ଼ିବାରେ ବିଫଳ ହୋଇଥିଲେ। ସେ ୧୭ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଛନ୍ତି। ସ୍କାଣ୍ଡାଲରେ ଜଡ଼ିତ ହେବାରେ ଗୌତମ ସବୁଠୁ ବଡ଼ ନାମ। ୯୪ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିବା ସହ ସେ କର୍ନାଟକ ଦଳର ନିୟମିତ ସଦସ୍ୟ ଥିଲେ। ଚଳିତ ସିଜନରେ ସେ ଗୋଆ ପାଇଁ ଖେଳିବା ଆରମ୍ଭ କରିଥିଲେ।

Share