କେବଳ ଗରିବଙ୍କୁ ମିଳିବ ମାଗଣା କୋଭିଡ୍‌ ପରୀକ୍ଷା ସୁବିଧା

ନୂଆଦିଲ୍ଲୀ,୧୪ା୪: କୋଭିଡ୍‌-୧୯ ପରୀକ୍ଷା ଦେୟ ଦେବାକୁ ଯେଉଁମାନେ ଅକ୍ଷମ କେବଳ ସେମାନଙ୍କୁ ଘରୋଇ ଲାବରେଟୋରିଗୁଡ଼ିକ ମାଗଣା ପରୀକ୍ଷା ସୁବିଧା ଯୋଗାଇଦେବାକୁ ସୁପ୍ରିମକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ଘରୋଇ ସଂସ୍ଥାରେ କୋଭିଡ୍‌-୧୯ ପରୀକ୍ଷା ପାଇଁ ୪୫୦୦ ଟଙ୍କା ଦେୟ ଦେବାକୁ ପଡୁଛି। ସମସ୍ତଙ୍କୁ ମାଗଣାରେ ଏହି ପରୀକ୍ଷା ସୁବିଧା ଯୋଗାଇଦେବାକୁ ଗତ ସପ୍ତାହରେ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ସୋମବାର ଜଷ୍ଟିସ୍‌ ଅଶୋକ ଭୂଷଣ ଏବଂ ଏସ୍‌. ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଙ୍କ ପୂର୍ବ ନିର୍ଦ୍ଦେଶନାମାରେ ସଂଶୋଧନ କରିଛନ୍ତି। ଆୟୁଷ୍ମାନ ଭାରତ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ କରୋନା ପରୀକ୍ଷା ଦେୟ ଦେବାକୁ ପଡ଼ିବ ନାହିଁ ବୋଲି କୋର୍ଟ କହିଛନ୍ତି। ଅନ୍ୟ ଆଥର୍ର୍ତ୍କ ଦୁର୍ବଳ ଶ୍ରେଣୀଙ୍କୁ ଏହି ସୁବିଧା ଯୋଗାଇବାକୁ ଚାହିଁଲେ କେନ୍ଦ୍ର ସରକାର ଏଥିପାଇଁ ବିଜ୍ଞପ୍ତି ଜାରି କରିବାକୁ ଅଦାଲତ ଅନୁମତି ଦେଇଛନ୍ତି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତୀ ଜନ ଆରୋଗ୍ୟ ଯୋଜନା ହିତାଧିକାରୀଙ୍କ ବ୍ୟତୀତ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ନିମ୍ନ ଆୟକାରୀ ଗୋଷ୍ଠୀ, ଡିବିଟି ସୁବିଧା ପାଉଥିବା ଜନସାଧାରଣଙ୍କୁ କେନ୍ଦ୍ର ସରକାର ଚାହିଁଲେ ଏହି ତାଲିକାରେ ସାମିଲ କରିପାରିବେ। ଏଥିପାଇଁ ସପ୍ତାହେ ମଧ୍ୟରେ ଉପଯୁକ୍ତ ମାର୍ଗଦର୍ଶିକା ଜାରି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସରକାରୀ ହସ୍ପିଟାଲରେ ଅଧିକ ଲୋକଙ୍କୁ ପରୀକ୍ଷା କରାଇବା କ୍ଷମତା ନାହିଁ। ଘରୋଇ ଲାବରେଟୋରିରେ କୋଭିଡ୍‌-୧୯ ପରୀକ୍ଷା ବ୍ୟୟସାପେକ୍ଷ ହୋଇଥିବାରୁ ସମସ୍ତଙ୍କୁ ମାଗଣାରେ ପରୀକ୍ଷା କରାଇବା ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ପିଟିଶନ ଦାଏର ହୋଇଥିଲା। ୮ ତାରିଖରେ ଏହି ପିଟିଶନର ଶୁଣାଣି କରି ସମସ୍ତଙ୍କୁ ମାଗଣା ପରୀକ୍ଷା ସୁବିଧା ଯୋଗାଇଦେବାକୁ ସର୍ବୋଚ୍ଚ ଅଦାଲତ କହିଥିଲେ। ମାଗଣା ପରୀକ୍ଷା ଯୋଗାଇବା ଘରୋଇ ଲାବରେଟୋରିଗୁଡିକର କ୍ଷମତା ବାହାରେ ହୋଇଥିବାରୁ ଏଥିପାଇଁ ସରକାର ଅର୍ଥ ଭରଣା କରିବାକୁ ସେମାନେ ଦାବି କରିଥିଲେ। ଘରୋଇ ଲାବ୍‌ ଉପରେ ଆର୍ଥିକ ବୋଝ ପଡ଼ିଲେ ସେମାନେ ପରୀକ୍ଷା କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ ଏବଂ ଦେଶରେ କରୋନା ପରୀକ୍ଷା ସାମର୍ଥ୍ୟ ହ୍ରାସ ପାଇବ ବୋଲି ଦିଲ୍ଲୀର ଜଣେ ଡାକ୍ତର ଯୁକ୍ତି ଦର୍ଶାଇଥିଲେ।

Share