କେବଳ ଜାତୀୟକରଣ ବ୍ୟାଙ୍କରେ ହିଁ ରହିବ ଶ୍ରୀମନ୍ଦିର ପାଣ୍ଠି: କ୍ରିଷନ କୁମାର

ପୁରୀ ଅଫିସ, ୫।୨: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୁଧବାର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ମନ୍ଦିରର ଫାଉଣ୍ଡେଶନ ପାଣ୍ଠି ଏସ୍‌ବିଆଇ ଏବଂ କର୍ପସ ଫଣ୍ଡ ଜାତୀୟକରଣ ବ୍ୟାଙ୍କରେ ରଖାଯିବ। ଟଙ୍କା ରଖିବା ନେଇ ବ୍ୟାଙ୍କଗୁଡ଼ିକଠାରୁ ଆବେଦନ ଆହ୍ବାନ କରାଯିବ। ଯେଉଁ ବ୍ୟାଙ୍କ ସର୍ବାଧିକ ସୁଧ ଦେବ ତା ପାଖରେ ୫୦% ଅର୍ଥ ଜମା ରହିବ। ଉକ୍ତ ବ୍ୟାଙ୍କରୁ କମ୍‌ ସୁଧ ପ୍ରସ୍ତାବ ଦେଇଥିବା ଅନ୍ୟ ୨ଟି ବ୍ୟାଙ୍କରେ ମଧ୍ୟ ଟଙ୍କା ରଖାଯିବ। ସେହିଭଳି ଅଦିନିଆ ରଥଯାତ୍ରା ସଂକ୍ରାନ୍ତରେ ଇସ୍କନ ମୁଖ୍ୟଙ୍କୁ ଅବଗତ କରାଯିବ। ଶ୍ରୀମନ୍ଦିର ଅଧୀନରେ ଥିବା ବିଭିନ୍ନ ପବିତ୍ର ପୀଠକୁ ନିଲାମ ମୁକ୍ତ କରାଯିବା ଲାଗି ଯୋଜନା କରାଯାଉଥିବା ସେ କହିଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ବିନୟ କୁମାର ଦାସଙ୍କ ସମେତ ପରିଚାଳନା କମିଟିର ସଦସ୍ୟମାନେ ଯୋଗ ଦେଇଥିଲେ।

Share