ମନ-ମାନଚିତ୍ର / ଡ. ନରହରି ବେହେରା
ଭାରତ ହେଉଛି ଋଷି ଓ କୃଷିର ଦେଶ। ସମୟ ଥିଲା ଏ ଦେଶର ମୁନିଋଷିମାନେ ଏ ମାଟିର ପଥପ୍ରଦର୍ଶକ ଏବଂ କୃଷି ଓ ଗୋପାଳନ ଏ ଧର୍ମର ବୃତ୍ତି ତଥା ସଂସ୍କୃତି ଥିଲା। ସମୟ ବଦଳିଛି। ଋଷି ପରମ୍ପରା ନାହିଁ। କିଛି ଭଣ୍ଡବାବାଙ୍କ ଆଚରଣ ଯୋଗୁ ପ୍ରତ୍ୟେକ ସାଧୁସନ୍ଥ ଆଜି ସନ୍ଦେହ ଘେରରେ। ଅନ୍ୟପକ୍ଷରେ କୃଷି ଓ ଗୋସମ୍ପଦ ମଧ୍ୟ ବିପର୍ଯ୍ୟସ୍ତ। ପ୍ରାଚୀନ କାଳରେ ଗୁରୁକୁଳ ହିଁ ଥିଲା ଏ ଦେଶର ଭାଗ୍ୟ ଓ ଭବିଷ୍ୟତ। ସାଧୁମାନେ ଶିଷ୍ୟମାନଙ୍କୁ ଭିକ୍ଷାବୃତ୍ତିଠାରୁ ଆରମ୍ଭ କରି କୃଷି, ଗୋପାଳନ, ସଂସାର ଧର୍ମ, ଆଧ୍ୟାମତ୍ିକ ଜ୍ଞାନ ପର୍ଯ୍ୟନ୍ତ ସବୁ ବିଷୟରେ ଶିକ୍ଷା ଦେଉଥିଲେ। ଏହି ଶିକ୍ଷାର ଉଦ୍ଦେଶ୍ୟ ଥିଲା ଜଣେ ବିଦ୍ୟାର୍ଥୀ ଜୀବନର ପ୍ରତ୍ୟେକ କ୍ଷେତ୍ରର ଅଭିଜ୍ଞତା ଅର୍ଜନ କରୁ, ବଞ୍ଚତ୍ବାପାଇଁ ସଂଗ୍ରାମ କରି ଶିଖୁ।
ପରାଧୀନ ଭାରତରେ ଏ ସମସ୍ତ ରୂପରେଖ ବଦଳିଗଲା। ବ୍ରିଟିଶ୍ ସରକାର ଏ ଅଖଣ୍ଡ ଭାରତକୁ ଭାଗଭାଗ କରିବାକୁ ପ୍ରଥମେ ଦୃଷ୍ଟି ଦେଲେ ଶିକ୍ଷା ଉପରେ। ସେମାନେ ଉଚ୍ଚଶ୍ରେଣୀ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କୁ ଇଂଲିଶ୍ ଶିକ୍ଷା ଦେଇ ଏକ ସ୍ବତନ୍ତ୍ର ଶ୍ରେଣୀ ସୃଷ୍ଟି କରି ନିଜର ଆଧିପତ୍ୟ ଜାହିର କରିବାକୁ ପ୍ରୟାସ ଜାରିରଖିଲେ। ସେମାନେ ଅନୁଭବ କରିଥିଲେ, ଯେ ପର୍ଯ୍ୟନ୍ତ ଭାରତୀୟ ସଂସ୍କୃତି ଅକ୍ଷୁଣ୍ଣ ଥିବ ସେ ପର୍ଯ୍ୟନ୍ତ ଏ ଗୋରା ଶାସନକୁ ସେମାନେ ସହଜରେ ଗ୍ରହଣ କରିବେ ନାହିଁ। ଏହି ଭାବନାକୁ ଅଧିକ ରସାଣିତ କରି ଚାର୍ଲସ ଗ୍ରାଣ୍ଟ ଏବଂ ୱିବର ଫୋର୍ସ ବାରମ୍ବାର ଇଷ୍ଟ ଇଣ୍ଡିଆ କମ୍ପାନୀ ଉପରେ ଇଂଲିଶ୍ ଭାଷା ମାଧ୍ୟମରେ ପାଶ୍ଚାତ୍ୟ ସାହିତ୍ୟ ଏବଂ ଖ୍ରୀଷ୍ଟିଆନ ଧର୍ମର ପ୍ରଚାର କରିବାକୁ ଚାପ ସୃଷ୍ଟି କଲେ। ପରବର୍ତ୍ତୀ ସମୟରେ ୧୯୩୫ ମସିହାରେ ଯେଉଁ ଶିକ୍ଷାନୀତି ଖସଡ଼ା ପ୍ରସ୍ତୁତ କଲେ ତାହା ଭାରତରେ ଇଂଲିଶ ଶିକ୍ଷାର ପଥ ପ୍ରଶସ୍ତ କରିଦେଲା। ସବୁଠି ଇଂଲିଶ୍ ଶିକ୍ଷାର ପ୍ରଚଳନ କରାଯିବାର ବ୍ୟବସ୍ଥା କରାଗଲା। ଅନ୍ୟ ପୁସ୍ତକ ଅପେକ୍ଷା ଇଂଲିଶ୍ ଭାଷାରେ ରଚିତ ପୁସ୍ତକ ସୁଲଭ ହେଲା। ଯେଉଁମାନେ ଇଂଲିଶ୍ ଭାଷା ଅଧ୍ୟୟନ କଲେ ସେମାନଙ୍କୁ ସରକାରୀ ଦପ୍ତରରେ ଚାକିରିର ସୁଯୋଗ ମିଳିଲା। ଅନ୍ୟପକ୍ଷରେ ତକତ୍ାଳୀନ ସମାଜରେ ଲୁଚି ରହିଥିବା ଅପସଂସ୍କୃତିକୁ ଦୂର କରିବା ଲାଗି ଭାରତୀୟମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଇଂଲିଶ୍ ଶିକ୍ଷାର ଗୁରୁତ୍ୱ ଅଛି ବୋଲି ରାଜା ରାମମୋହନ ରାୟଙ୍କ ପରି ବିଦ୍ୱାନମାନେ ଏହାକୁ ସମର୍ଥନ ଜଣାଇଲେ। ଫଳରେ ଇଂଲିଶ୍ ଭାଷା କାୟା ବିସ୍ତାର କଲା। ଏହା ସହିତ ଲର୍ଡ ମାକ୍ଲେଙ୍କ ଲୁଚି ରହିଥିବା ମନ୍ଦ ଉଦ୍ଦେଶ୍ୟ ମଧ୍ୟ ପ୍ରଭାବ ବିସ୍ତାର କଲା।
ଏ ଇଂଲିଶ୍ ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ କ’ଣ ଥିଲା ମାକ୍ଲେ ୧୮୩୬ ଅକ୍ଟୋବର ୧୨ ତାରିଖରେ ତାଙ୍କ ବାପାଙ୍କୁ ଲେଖିଥିବା ଚିଠିର କିୟଦଂଶ ସୂଚାଇ ଦିଏ। ସେ ଲେଖିଥିଲେ- ”Our English schools are flourishing wonderfully; we find it difficult to provide instruction to all. The effect of this education on Hindus is prodigious. No Hindu who has received an English education ever remains sincerely attached to his religion. It is my firm belief that if our plans of education are followed up, there will not be a single idolator among the respected classes 30 years hence. And this will be effected without our efforts to proselytize.“ କାଳକ୍ରମେ ଏମିତି ପରିସ୍ଥିତି ହେଲା ଯେ ସମସ୍ତେ କ୍ଷମତାସୀନ ସରକାରଙ୍କ ଭାଷାରେ ପାଣ୍ଡିତ୍ୟ ପ୍ରଦର୍ଶନ କରି ସେମାନଙ୍କର ନିକଟତର ହେବାକୁ ଚେଷ୍ଟା କଲେ। କଥାରେ ଅଛି ମଳୁ ଖୋଜୁଥିଲା କାକରପାଣି, ବଇଦ କହିଲା ଦିଅ ତୋରାଣି। ଏଇ ନ୍ୟାୟରେ ବ୍ରିଟିଶ୍ ସରକାର ତାଙ୍କର ଭାଷା, ଭାବନା ଏବଂ ପଶ୍ଚିମା ସଂସ୍କୃତିକୁ ଲଦି ଦେବାରେ ସଫଳ ହେଲେ। ୧୯୩୧ ମସିହାରେ ଗାନ୍ଧିଜୀ ଗୋଲ୍ ଟେବୁଲ ବୈଠକରେ ବ୍ରିଟିଶ୍ ସରକାରଙ୍କୁ ଦାୟୀ କରି କହିଥିଲେ- The beautiful tree of education was cut by you British. Therefore today India is far more illiterate than it was 100 years ago. ଗାନ୍ଧିଜୀଙ୍କ କଥା ଆଜି ସତ୍ୟରେ ପରିଣତ ହୋଇଛି। ଭାରତର ସାହିତ୍ୟ, ଦର୍ଶନ, ଚିନ୍ତା ଚେତନା ସବୁ କିଛି ଲକ୍ଷ୍ୟହରା ହୋଇପଡ଼ିଛି।
ସ୍ବାଧୀନ ଭାରତରେ ଅନେକ କମିଶନ ବସିଛି, ସଂସ୍କାର ପାଇଁ ଅନେକ ପରାମର୍ଶ ଦିଆଯାଇଛି। ମାତ୍ର ଶିକ୍ଷାର୍ଥୀମାନେ କେବଳ ବସ୍ତୁବାଦୀ ହେବା ବ୍ୟତୀତ କିଛି ଶିକ୍ଷା ଲାଭ କରିପାରୁ ନାହାନ୍ତି। ବିଦ୍ୟାଦାତା ଏବଂ ବିଦ୍ୟାର୍ଥୀ ଉଭୟେ କେବଳ ଶୁକପକ୍ଷୀ ପରି ପାଠ କଣ୍ଠସ୍ଥ କରିବାରେ ବ୍ୟସ୍ତ। ଶ୍ରେଣୀ ଶିକ୍ଷା ଅପେକ୍ଷା ଜେରକ୍ସ କପି ଏବଂ ଗୁଗ୍ଲ ସର୍ଚ୍ଚରେ ପାଠପଢ଼ା ଚାଲୁଛି। ଶିକ୍ଷକମାନେ ଆଜି ନୀରବ। ଶ୍ରେଣୀରେ ପିଲାଙ୍କୁ ଆକଟ କରିବାକୁ ଡରୁଛନ୍ତି, କାରଣ ଏହା ଏବେ ଦଣ୍ଡମୁକ୍ତ ଅଞ୍ଚଳ। ପିଲାଟି ଯେତେ ଦୁଷ୍ଟାମି କରୁ, ପାଠ ନ ପଢ଼ୁ, ଏ ଶ୍ରେଣୀରୁ ସେ ଶ୍ରେଣୀକୁ ଡେଉଁଥାନ୍ତୁ- ଶିକ୍ଷକମାନେ ବାପଲୋ ଧନଲୋ କହିବେ ସିନା ଶାସନ କରିପାରିବେ ନାହିଁ। ତିରିଶ ବର୍ଷ ତଳେ ବିଦ୍ୟାର୍ଥୀମାନେ ବିଦ୍ୟାଳୟରେ SUPWରେ ବିଭିନ୍ନ ଫଳଫୁଲ ଚାଷ କରୁଥିଲେ। ବାଡ଼ିବଗିଚାର ଯନତ୍ ନେଉଥିଲେ। ନିଜ ଶ୍ରେଣୀ ଗୃହ ସଫାସୁତୁରା ରଖୁଥିଲେ। ଏସବୁ କାମଦ୍ୱାରା ତାଙ୍କ ମନ ଭିତରେ କୌଣସି କାମ ପ୍ରତି ବୀତସ୍ପୃହ ଭାବ ରହୁ ନ ଥିଲା। ସେମାନକୁ ଆନନ୍ଦ ମିଳୁଥିଲା। ମନ ଭିତରେ ଥିବା ଧନୀ-ଗରିବର ଭାବ ଦୂର ହେଉଥିଲା। କର୍ମ ପ୍ରତି ଥିବା ବିମୁଖତା ଦୂର ହୋଇଯାଉଥିଲା। କହିବାକୁ ଗଲେ ଏ ବ୍ୟବସ୍ଥା ପ୍ରାଚୀନ ଭାରତରେ ଆଶ୍ରମ ଜୀବନର ଥିଲା ଏକ ବିମଳ ସ୍ମୃତି। ମାତ୍ର ଏବେ ସେସବୁ ନିଷିଦ୍ଧ କର୍ମ। କୌଣସି ଛାତ୍ରୀଛାତ୍ର ସେ କାମ କରିଦେଲେ ସଙ୍ଗେ ସଙ୍ଗେ ମିଡିଆରେ ପ୍ରକାଶ ହୋଇଯାଉଛି। ଏ ଶିକ୍ଷାର ଉଦ୍ଦେଶ୍ୟ କ’ଣ? କେବଳ ବାବୁ ତିଆରି କରିବା ପାଇଁ ଯୋଜନା ନୁହେଁ ତ?
ବାବୁ ତିଆରି କରି ବ୍ରିଟିଶ୍ ଶାସନକୁ ଦୃଢ଼ କରିବା ପାଇଁ ସ୍ବପ୍ନ ଦେଖୁଥିବା ମାକ୍ଲେଙ୍କ ସଂଖ୍ୟା ଏବେ ଦିନକୁ ଦିନ ବଢ଼ି ଚାଲିଛି। ଭାରତ ବର୍ତ୍ତମାନ ଇଂଲିଶ୍ମୟ ହୋଇଯାଇଛି। ଇଂଲିଶ୍ରେ ପାଣ୍ଡିତ୍ୟ ଅର୍ଜନ ନ କଲେ ଜଣେ ବିଦ୍ୟାର୍ଥୀ କୌଣସି କାମ ପାଇଁ ଯୋଗ୍ୟ ହୋଇପାରିବ ନାହିଁ। ପାଠ ପଢ଼ି ଦୁଇପଦ ଇଂଲିଶ୍ରେ କହି ନ ପାରିଲେ ସେ ପାଠୁଆରେ ଗଣା ହେବନାହିଁ- ଏ ଭାବନା ଏବେ ପ୍ରାୟ ସମସ୍ତଙ୍କୁ କାଳିଶି ପରି କାବୁ କରିଛି। ସମସ୍ତେ ଏଥିପାଇଁ ପାଗଳପ୍ରାୟ। ଛତୁ ଫୁଟିଲାପରି ପବ୍ଲିକ୍ ସ୍କୁଲ। ସବୁଠି ଛାତ୍ରୀଛାତ୍ରଙ୍କର ପ୍ରବଳ ଭିଡ଼। ଅଭିଭାବକଙ୍କର ଇଂଲିଶ୍ ପାଠ ପଢ଼ାଇବାରେ ଯେଉଁ ବ୍ୟାକୁଳତା ଏବଂ ଆମତ୍ତୃପ୍ତିର ମିଶ୍ରିତ ଦୀପ୍ତି ଆଖିରେ ନ ଦେଖିଲେ ବୁଝି ହେବନାହିଁ। ଅଭିଭାବକଙ୍କର ଆଗ୍ରହ ଦେଖି ଓଡ଼ିଶା ସରକାର ମଧ୍ୟ ଇଂଲିଶ୍ ଭାଷାରେ ଛାତ୍ରୀଛାତ୍ରଙ୍କୁ ଦକ୍ଷ କରିବା ପାଇଁ ମଡେଲ ଇଂଲିଶ୍ ସ୍କୁଲ ଖୋଲିବାରେ ଲାଗିପଡ଼ିଛନ୍ତି। ମାତ୍ର ଏହାର ପରିଣତି କ’ଣ ହେଉଛି ତାହା ଦେଖିବାକୁ କାହାର ବେଳ ନାହିଁ। ପ୍ରତ୍ୟେକ ବର୍ଷ ଇଂଲିଶ୍ ଭାଷାରେ ଦକ୍ଷ ହୋଇଥିବା ଏବଂ ସାଧାରଣ ବିଦ୍ୟାଳୟର ବିଦ୍ୟାର୍ଥୀମାନେ ଉତ୍ତୀର୍ଣ୍ଣ ହେବାପରେ କି ପ୍ରତିଷ୍ଠା ଅର୍ଜନ କରିଛନ୍ତି, ସେମାନେ ଭାରତୀୟ ସଂସ୍କୃତି ଏବଂ ପରମ୍ପରାରେ କେତେ ଦକ୍ଷ ହୋଇଛନ୍ତି ଇତ୍ୟାଦି ବିଷୟରେ ତର୍ଜମା କରାଯାଉ ନାହିଁ। ଶିକ୍ଷାନୁଷ୍ଠାନଗୁଡ଼ିକରେ ଆଧ୍ୟାମତ୍ିକ, ସାଂସ୍କୃତିକ କିମ୍ବା ଭାରତୀୟ ଭାବଧାରା ବିଷୟରେ ଦକ୍ଷତା ବୃଦ୍ଧି ପାଇଁ କୌଣସି ନିର୍ଦ୍ଦିଷ୍ଟ ବ୍ୟବସ୍ଥା ନାହିଁ କି ପାଠ୍ୟକ୍ରମ ନାହିଁ। ସପ୍ତାହରେ ଅନ୍ତତଃ ଗୋଟିଏ ଦୁଇଟି ପିରିୟଡ ରଖାଯାଇ ପାରନ୍ତା, ମାତ୍ର ତାହା ହେଉନାହିଁ। ଏପରି ପରିସ୍ଥିତିରେ ଉଚ୍ଚ ଶିକ୍ଷାଲାଭ ପରେ ବିଦ୍ୟାର୍ଥୀଟିଏ ଡାକ୍ତର, ଇଞ୍ଜିନିୟର, ଅଧିକାରୀ ଯାହା କିଛି ହେଲେ ବି ତା’ଠାରୁ ମାନବୀୟ ଗୁଣ ଆଶା କରିବା ବିଡ଼ମ୍ବନା ମାତ୍ର। ତେଣୁ ଶିକ୍ଷାନୁଷ୍ଠାନଗୁଡ଼ିକ କେବଳ ବାବୁ ତିଆରି କାରଖାନା ନ ହୋଇ ମଣିଷ ତିଆରି କାରଖାନା ହେବା ଉଚିତ। ତା’ ନ ହେଲେ ଏ ଦେଶର ଭାଗ୍ୟ ଭବିଷ୍ୟତ କ’ଣ ହେବ ତାହା ଜଳ ଜଳ ହୋଇ ଦିଶୁଛି।
ବାସୁଦେବବାସ୍ୟମ୍, ଜଗନ୍ନାଥ ବିହାର, ବାଇପାସ୍, ଭଦ୍ରକ,ମୋ-୭୯୭୮୯୦୩୫୦୯