କେବିସି ମଞ୍ଚରେ ଭାବୁକ କଲା ଅର୍ପିତାଙ୍କ କାହାଣୀ: ଦିବ୍ୟାଙ୍ଗ ଶିଶୁଙ୍କ ଲାଗି କାମ କରିବାକୁ କଥା ଦେଲେ ଅମିତାଭ

ମୁମ୍ବାଇ: ଇତିମଧ୍ୟରେ ତୃତୀୟ ସପ୍ତାହରେ ପହଞ୍ଚିଛି ସୋନି ଚ୍ୟାନେଲରେ ପ୍ରସାରିତ ଶୋ’ ‘କୌନ ବନେଗା କରୋଡପତି’। ଖେଳ ଆରମ୍ଭର ପ୍ରଥମ ଦିନରୁ କେବିସି ଚର୍ଚ୍ଚାରେ ରହିଆସଥିବା ବେଳେ ମଞ୍ଚରେ ବିଭିନ୍ନ କ୍ଷେତ୍ରରୁ ଆସିଥିବା ମହିଳାଙ୍କ ସଂଘର୍ଷର କାହାଣୀ ଶୁଣିବାକୁ ମିଳୁଛି। ଏହି କ୍ରମରେ ଜୟପୁରର ଅର୍ପିତା ଯାଦବଙ୍କ ଜୀବନ କାହାଣୀ ହୋଷ୍ଟ ଅମିତାଭ ବଚ୍ଚନଙ୍କୁ ପ୍ରଭାବିତ କରିଛି।

ଅର୍ପିତା ପୁତ୍ର ସନ୍ତାନର ଜନନୀ ହୋଇଥିଲେ। ହେଲେ ଜନ୍ମ ସମୟରେ ପିଲାଟି ଦିବ୍ୟାଙ୍ଗ ବୋଲି ଜାଣିବାକୁ ପାଇଥିଲେ। ନିଜ ପିଲା ହେଲେ ମଧ୍ୟ କିଛି ଦିନ ଧରି ସେ ଏହାକୁ ଗ୍ରହଣ କରିପାରି ନ ଥିଲେ। ପିଲାଟିଦିନରୁ ପୁଅ ନିର୍ଭୟାଙ୍କୁ ବଢ଼ିବାରେ ସମସ୍ୟା ଉପୁଜିଥିଲା। ତାଙ୍କୁ ଠିକ ଭାବେ ଶୁଣା ଯାଉ ନ ଥିବା ବେଳେ ସେ ଚାଲିପାରୁ ନ ଥିଲେ। ଶେଷରେ ୭ ବର୍ଷ ବୟସରେ ସେ ପ୍ରଥମେ ଚାଲିଥିଲେ। ଏବେ ସେ ବଡ଼ ହୋଇଥିବା ବେଳେ ଅର୍ପିତା ନିଜେ ମଧ୍ୟ ଦିବ୍ୟାଙ୍ଗ ଶିଶୁମାନଙ୍କୁ ପଢ଼ାଉଛନ୍ତି। ଅର୍ପିତାଙ୍କ ଏହି କାହାଣୀ ଅମିତାଭଙ୍କୁ ଭାବୁକ କରିଥିବା ବେଳେ ସେ ତାଙ୍କୁ ପ୍ରଣାମ କରିଥିଲେ।

ଅମିତାଭ ପୋଲିଓ ଅଭିଯାନ ଉପରେ କାମ କରିଛନ୍ତି। ଏବେ ସେ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ କିଛି କାମ କରନ୍ତୁ ବୋଲି ଅର୍ପିତା ଇଚ୍ଛା ପ୍ରକାଶ କରିଥିଲେ। ଏହା ଶୁଣି ଅମିତାଭ ତାଙ୍କୁ ଏଭଳି କରିବେ ବୋଲି କଥା ଦେଇଛନ୍ତି।

Share