କେବିସି ୧୧: ବିଗ୍‌ ବିଙ୍କୁ ସ୍ବାମୀଙ୍କ ନାଁରେ ଅଭିଯୋଗର ଲିଷ୍ଟ ଧରାଇଲେ ପ୍ରତିଯୋଗୀ

କୌନ୍‌ ବନେଗା କରୋଡ଼ପତି(କେବିସି)ରେ ବେଳେବେଳେ ଏମିତି କିଛି ପ୍ରତିଯୋଗୀ ଆସିଥାନ୍ତି, ଯେଉଁମାନେ ଖେଳ ସାଙ୍ଗକୁ ଦର୍ଶକଙ୍କର ଖୁବ୍‌ ମନୋରଞ୍ଜନ କରିଥାନ୍ତି। ଏଥର ସେମିତି ଜଣେ ପ୍ରତିଯୋଗୀ କେବିସିର ହଟ୍‌ ସିଟ୍‌ରେ ବସିଥିଲେ। ସେ ହେଲେ ଦିଲ୍ଲୀରେ ରହୁଥିବା ଶିବାନୀ ଢିଙ୍ଗରା। ଶୋ’ ମାଧ୍ୟମରେ ଶିବାନୀ ଏମିତି ଏକ ଅନୁରୋଧ କରିଛନ୍ତି, ଯାହା ଶୁଣି ହୋଷ୍ଟ କରୁଥିବା ଅମିତାଭ ବଚ୍ଚନ(ବିଗ୍‌ ବି) ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଶିବାନୀ ଶୋ’ରେ ନିଜ ସ୍ବାମୀଙ୍କ ନାମରେ ଅଭିଯୋଗର ଏକ ଲିଷ୍ଟ ପ୍ରସ୍ତୁତକରି ଅମିତାଭଙ୍କୁ ଦେଇଥିଲେ। ତାଙ୍କ ଅଭିଯୋଗ ହେଲା, ସ୍ବାମୀ ଜଣେ ବ୍ୟାଙ୍କ କର୍ମଚାରୀ। ଯିଏ କି ସକାଳୁ ଅଫିସ ଯାଇ ସନ୍ଧ୍ୟାରେ ଘରକୁ ଫେରନ୍ତି। ଛୁଟିଦିନରେ ଯେତେବେଳେ ଘରେ ରୁହନ୍ତି ସବୁବେଳେ ସୋସିଆଲ ମିଡିଆରେ ବ୍ୟସ୍ତ ଥାନ୍ତି। କେବେହେଲେ କ୍ୟାଣ୍ଡେଲ ଲାଇଟ୍‌ ଡିନର ନେଇ ନାହାନ୍ତି ବୋଲି ତାଙ୍କର ଅଭିଯୋଗ ରହିଛି। ଆହୁରି ମଧ୍ୟ ସେ କହିଛନ୍ତି ଯେ, ଅନ୍ୟର ସମସ୍ୟାର ସମାଧାନ କରୁଥିବା ମୁଁ ଆପଣଙ୍କୁ ବହୁବାର ଦେଖିଛି। ଏଣୁ ମୋର ବିଶ୍ୱାସ ଯେ, ମୋ ସମସ୍ୟାର ମଧ୍ୟ ସମାଧାନ କରିବେ। ଏହା ଶୁଣିବା ପରେ ଅମିତାଭ କୁହନ୍ତି, ମୁଁ କେବେହେଲେ ଭାବି ନ ଥିଲି ଯେ, ଏହି ଶୋ’ର ହୋଷ୍ଟ କରିବା ସାଙ୍ଗକୁ ମୁଁ ମ୍ୟାରେଜ କାଉନ୍‌ସିଲର ଭାବେ ମଧ୍ୟ କାର୍ଯ୍ୟ କରିବି।

Share