Categories: ଖେଳ

କେବେ ଆଥଲେଟ୍‌ ହେବାକୁ ଚାହୁଁ ନ ଥିବା ହିମା ୧୮ ଦିନ ଭିତରେ ଜିତିଲେଣି ୫ଟି ସ୍ବର୍ଣ୍ଣପଦକ

ନୋଭେ ମେଷ୍ଟୋ (ଚେକ ରିପବ୍ଲିକ), ୨୧।୭:ଭାରତୀୟ ମହିଳା ସ୍ପ୍ରିଣ୍ଟର ହିମା ଦାସ ତାଙ୍କ ସ୍ବର୍ଣ୍ଣିମ ସଫଳତା ଧାରା ଜାରି ରଖିଛନ୍ତି। ଶନିବାର ଏଠାରେ ଅନୁଷ୍ଠିତ ଏକ ପ୍ରତିଯୋଗିତାର ୪୦୦ ମିଟର ରେସରେ ହିମା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ଦୂରତାକୁ ହିମା ୫୨.୦୯ ସେକେଣ୍ଡରେ ଶେଷ କରି ଆଉ ଏକ ସ୍ବର୍ଣ୍ଣ ଜିତିଛନ୍ତି। ଗତ ୧୮ଦିନ ମଧ୍ୟରେ ହିମାଙ୍କର ଏହା ୫ମ ସ୍ବର୍ଣ୍ଣ ପଦକ। ପୂର୍ବରୁ ସେ ଜୁଲାଇ ୨ରେ ୟୁରୋପରେ ଅନୁଷ୍ଠିତ ପୋଜନାନ ଗ୍ରାଁପ୍ରି ସିଜନରେ ତାଙ୍କ ପ୍ରଥମ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସ ଥିଲା। ଏଥିରେ ସେ ୨୦୦ ମିଟରରେ (୨୩.୬୫) ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହାପରେ ଜୁଲାଇ ୭ରେ ପୋଲାଣ୍ଡରେ ହୋଇଥିବା କୁଣ୍ଟୋ ଆଥଲେଟିକ୍ସ ମିଟରେ ୨୦୦ ମିଟର ରେସକୁ ୨୩.୯୭ ସେକେଣ୍ଡରେ ଶେଷ କରି ପ୍ରଥମ ସ୍ଥାନ ହାସଲ କରିଥିଲେ। ଜୁଲାଇ ୧୩ରେ ଚେକ ରିପବ୍ଲିକରେ କ୍ଲାଡନୋ ଆଥଲେଟିକ୍ସ ମିଟ (୨୩.୪୩) ଓ ଗତ ବୁଧବାର ଅନୁଷ୍ଠିତ ଟାବୋର୍‌ ଆଥଲେଟିକ୍ସ ମିଟରେ ମଧ୍ୟ ପ୍ରଥମ ହୋଇଥିଲେ। ୨୦୧୮ରେ ଫିନଲାଣ୍ଡରେ ଅନୁଷ୍ଠିତ ୨୦ ବର୍ଷରୁ କମ ଅନ୍ତର୍ଜାତୀୟ ଆଥଲେଟିକ୍ସ ଚାମ୍ପିଆନସିପରେ ପ୍ରଥମ ଭାରତୀୟ ମହିଳା ଭାବେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ। ୧୮ ବର୍ଷିୟ ହିମା ୪୦୦ ମିଟର ଦୌଡ ୫୧.୪୬ ସେକେଣ୍ଡରେ ପୁରା କରିଥିଲେ। ଏହାପରେ ହିମା ସାରା ଦେଶରେ ପରିଚିତ ହାସଲ କରିଥିଲେ।
ଆସାମ ନୌଗାଁରେ ହିମା ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ୪ ଭାଇ ଭଉଣୀଙ୍କ ମଧ୍ୟରୁ ହିମା ବଡ ଥିଲେ। ପାଠରେ ଜଣେ ଉତ୍ତମ ଛାତ୍ରୀ ଭାବେ ଜଣାଶୁଣା ଥିଲେ ସେ। ପିଲାଙ୍କ ସହ ଫୁଟବଲ ଖେଳିବା ଥିଲା ତାଙ୍କ ସଉକ। ଭବିଷ୍ୟତରେ ଜଣେ ଆଥଲେଟ୍‌ ହେବେ କେବେ ସ୍ବପ୍ନରେ ସୁଦ୍ଧା କେବେ ଭାବି ନ ଥିଲେ ସେ। ଜଣେ ଫୁଟବଲ ଖେଳାଳି ହେବାକୁ ଇଚ୍ଛା କରିଥିବା ହିମା ଆଥଲେଟ ହେବାକୁ ଆଦୌ ଚାହୁଁ ନ ଥିଲେ। କିନ୍ତୁ ସ୍ଥାନୀୟ ଜଣେ କୋଚଙ୍କ ଉପଦେଶ ମାନି ଦୌଡିବା ଆରମ୍ଭ କରିଥିଲେ। ଶେଷରେ ତାଙ୍କୁ ସଫଳତା ମିଳିଥିଲା।

Share