Categories: ଫୁରସତ

କେବେ ଟ୍ରେନ୍‌ରେ ବସି ନ ଥିବା ଛାତ୍ରୀଛାତ୍ରଙ୍କୁ ପ୍ରଥମ ଥର ବିମାନରେ ଯାତ୍ରା କରାଇଲେ ଶିକ୍ଷକ

ଛୋଟବେଳେ ଆକାଶରେ ବିମାନ ଯାଉଥିବା ଦେଖି ସବୁ ପିଲା ଖୁସି ହୋଇଯାଇଥାନ୍ତି। କେବେବେଳେ କାଗଜରେ ବିମାନ କରି ଉଡାଇଥାନ୍ତି ତ କେତେବେଳେ ସତସତିକା ବିମାନ ପଛରେ ଧାଉଁଥିବା ନଜିର ରହିଛି। କିଛି ପିଲା ସେଥିରେ ବସିବା ପାଇଁ ମଧ୍ୟ ଇଛା ପ୍ରକାଶ କରିଥାନ୍ତି। ହେଲେ ଏହି ସ୍ବପ୍ନ କେତେକଙ୍କର ପୂରା ହୋଇଥିବା ବେଳେ ଆଉ କେତେକଙ୍କ ଅଧୁରା ହିଁ ରହିଯାଏ। ହେଲେ ଏବେ କିଛି ଛାତ୍ରୀଛାତ୍ରଙ୍କ ଏହି ସ୍ବପ୍ନ ପୂରା ହୋଇଥିବା ଜଣାପଡ଼ିଛି। ଜଣେ ଶିକ୍ଷକ ନିଜ ଛାତ୍ରୀଛାତ୍ରଙ୍କ ଏହି ସ୍ବପ୍ନ ପୂରା କରିଛନ୍ତି। ଆଉ ଏଭଳି କରି ସେ ସେମାନଙ୍କ ନଜରରେ ‘ହିରୋ’ ହୋଇଯାଇଛନ୍ତି।

ସୂଚନାଯୋଗ୍ୟ ମଧ୍ୟପ୍ରଦେଶ ବିଜେପୁରରେ ଥିବା ଏକ ସରକାରୀ ସ୍କୁଲର ପ୍ରଧାନଶିକ୍ଷକ କିଶୋର କନାସେ ନିଜ ଖର୍ଚ୍ଚରେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ୧୯ଛାତ୍ରୀଛାତ୍ରଙ୍କୁ ବିମାନରେ ଯାତ୍ରା କରାଇଛନ୍ତି। ଆଉ ଏହି ଯାତ୍ରା ଇନ୍ଦୋରରୁ ଦିଲ୍ଲୀ ପର୍ଯ୍ୟନ୍ତ ରହିଥିଲା। ଯେତେବେଳେ ପିଲାମାନେ ଇନ୍ଦୋର ବିମାନବନ୍ଦରରେ ପହଞ୍ଚିଥିଲେ ସେତେବେଳେ ତାଙ୍କରୁ ଖୁସି କହିଲେ ନ ସରେ। ତାଙ୍କ ମୁହଁରୁ ସ୍ପଷ୍ଟ ବାରି ହୋଇପଡ଼ୁଥିଲା। କାରଣ ଉକ୍ତ ଛାତ୍ରୀଛାତ୍ରଙ୍କ ମଧ୍ୟରୁ କେତେକ କେବେ ଟ୍ରେନ୍‌ରେ ମଧ୍ୟ ବସି ନ ଥିଲେ।

ପ୍ରଥମ ଥର ପାଇଁ ବିମାନରେ ବସିବା ସେମାନଙ୍କ ଅନୁଭୂତି ଏକପ୍ରକାର ନିଆରା ଥିଲା। ପ୍ରଧାନଶିକ୍ଷକ କିଶୋର ପିଲାଙ୍କର ଏହି ଯାତ୍ରା ପାଇଁ ୬୦ ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ଦିଲ୍ଲୀରେ ଉକ୍ତ ପିଲା ୨ ଦିନ ରହିଥିବା ବେଳେ ସେଠାରେ ବିଭିନ୍ନ ସ୍ଥାନ ପରିଦର୍ଶନ କରି ଟ୍ରେନ୍‌ରେ ଘରକୁ ଫେରିଥିଲେ। ତେବେ ପ୍ରଧାନ ଶିକ୍ଷକଙ୍କ ଏହି କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଆଉ ସମସ୍ତେ କହୁଛନ୍ତି ସାର ହେବ ତ ଏମିତି।

Share