‘କେବେ ବି ନଗ୍ନ ଫଟୋ ଶୁଟ୍‌ କରିନି’

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଫିଲ୍ମ ନିର୍ମାତା ଇମ୍‌ତିୟାଜ୍‌ ଅଲୀଙ୍କ ସୁପର୍‌ହିଟ ଫିଲ୍ମ ‘ରକ୍‌ଷ୍ଟାର୍‌’ରୁ ଡେବ୍ୟୁ କରିଥିବା ଆମେରିକାନ୍‌ ମଡେଲ ତଥା ଅଭିନେତ୍ରୀ ନର୍ଗୀସ୍‌ ଫଖ୍‌ରି ଏବେ ଚର୍ଚ୍ଚାରେ। ଏକ ସାକ୍ଷାତ୍‌କାରରେ କିଛି ଚାଞ୍ଚଲ୍ୟକର ବୟାନ୍‌ ଦେଇଥିବାରୁ ନର୍ଗୀସ୍‌ଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ‘ରକ୍‌ଷ୍ଟାର୍‌’ ପରେ ‘ମାଦ୍ରାସ୍‌ କୈଫେ’, ‘ମେଁ ତେରା ହିରୋ’ ଏବଂ ‘ହାଉସ୍‌ଫୁଲ୍‌-୩’ ଭଳି ସୁପର୍‌ହିଟ୍‌ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏହାଛଡ଼ା ସେ ହଲିଉଡ୍‌ ଫିଲ୍ମ ‘ସ୍ପାଏ’ରେ ମଧ୍ୟ ନଜରକୁ ଆସିଥିଲେ। ତେବେ ଦୀର୍ଘଦିନ ହେଲା ସେ ଇଣ୍ଡଷ୍ଟ୍ରୀରୁ ଗାଏବ ହୋଇଯାଇଥିବା ବେଳେ ଏବେ ତାଙ୍କ ସାକ୍ଷାତ୍‌କାରକୁ ନେଇ ସେ ପୁଣି ଚର୍ଚ୍ଚାରେ।
ନିକଟରେ ପୂର୍ବ ପର୍ଣ୍ଣଷ୍ଟାର୍‌ ବ୍ରିଟିନୀ ଦେଲା ମୋରାଙ୍କ ସହ ଆୟୋଜିତ ଏକ ସାକ୍ଷାତ୍‌କାରରେ ନର୍ଗୀସ୍‌ କିଛି ଚାଞ୍ଚଲ୍ୟକର ଉତ୍ତର ଦେଇଛନ୍ତି। ସେ କହିଛନ୍ତି, ଫିଲ୍ମ ପାଇବାକୁ ସେ କୌଣସି ନିର୍ଦ୍ଦେଶକଙ୍କ ସହ ରାତ୍ରିଯାପନ କରିନାହାନ୍ତି। ଏହି କାରଣରୁ ତାଙ୍କ ହାତରୁ ଅନେକ ଭଲ ଫିଲ୍ମ ଚାଲିଯାଇଛି। ଏହାସହ ସେ କେବେ ନିଜର ନଗ୍ନ ଫଟୋ ଶୁଟ୍‌ ମଧ୍ୟ କରାଇ ନ ଥିବା କହିଛନ୍ତି।
ବ୍ରିଟିନୀ ନର୍ଗୀସ୍‌ଙ୍କୁ ପଚାରିଥିଲେ, “ଆପଣ କିଭଳି ନିଜ ସୀମା ଧାର୍ଯ୍ୟ କରିଛନ୍ତି? ଯେପରି ମୁଁ ନିଶ୍ଚିତ ଥିଲି ଯେ, ମୋ ଜୀବନରେ ମୁଁ କ’ଣ କରିବି, ତଥାପି ମୁଁ ପର୍ଣ୍ଣ ଇଣ୍ଡଷ୍ଟ୍ରିକୁ ଆସିଗଲି। ତେବେ ଆପଣଙ୍କ ଜୀବନରେ ନୈତିକତା ଦୃଷ୍ଟିକୋଣରୁ କିପରି ସୀମା ଧାର୍ଯ୍ୟ କରିଛନ୍ତି? ” ଏହାର ଉତ୍ତରରେ ନର୍ଗୀସ୍‌ କହିଥିଲେ, “ମୋ ମା’ ଯେଉଁଭଳି ମୋର ଲାଳନପାଳନ କରି ବଢ଼ାଇଛନ୍ତି, ସେଥିରୁ ମୁଁ ମୋ ସୀମା ଧାର୍ଯ୍ୟ କରିପାରିଛି। ମା’ ମୋତେ ପୁରୁଷ, ରିଲେଶନଶିପ୍‌ ଏବଂ ସେକ୍ସ ପ୍ରତି ଡରାଇଦେଇଥିଲେ। ଆଉ ସେହି ସଂସ୍କାରରୁ ମୋତେ କେବେ ନଗ୍ନ ନ ହେବାକୁ ଏବଂ କାମ ହାସଲ ପାଇଁ ଯୌନ ସମ୍ପର୍କ ନ ରଖିବାକୁ ନୈତିକ ଶିକ୍ଷା ମିଳିଛି।”
ନର୍ଗୀସ୍‌ ଆହୁରି ମଧ୍ୟ କହିଛନ୍ତି, ମୁଁ ବହୁତ ଲାଜକୁଳି। ସାଙ୍ଗମାନଙ୍କୁୁ ଭୁଲ୍‌ ରାସ୍ତାରେ ଯିବା ମୁଁ ଦେଖିଛି। ଲୋକପ୍ରିୟ ହେବା ଭୋକ ମୋ ପାଖରେ ନାହିଁ। ଏଥିପାଇଁ ମୁଁ କେବେ ନଗ୍ନ ଫଟୋ ଶୁଟ୍‌ କରିନାହିଁ ବା ଫିଲ୍ମ ପାଇବାକୁ ନିର୍ଦ୍ଦେଶକଙ୍କ ସର୍ତ୍ତ ଅନୁଯାୟୀ ସେମାନଙ୍କ ସହ ରାତ୍ରିଯାପନ କରିନାହିଁ। ଏହି କାରଣରୁ ତାଙ୍କୁ କାମ ମିଳିଲାନାହିଁ। ତେବେ ଏଭଳି ପରିସ୍ଥିତି ଅନେକଥର ତାଙ୍କ ସହ ହୋଇଥିବା ନର୍ଗୀସ୍‌ କହିଛନ୍ତି।

Share