କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଗବେଷକଙ୍କ ଯୁକ୍ତି: ଭାରତରେ ୪୯ ଦିନର ଲକ୍‌ଡାଉନ୍‌ ଜରୁରୀ

ନୂଆଦିଲ୍ଲୀ,୩୦ା୩: କରୋନା ଭାଇରସ୍‌ ଯୋଗୁ ବିଶ୍ୱ ଏବେ ଆତଙ୍କିତ ହୋଇପଡ଼ିଛି। ଏହି ମହାମାରୀକୁ ରୋକିବା ଲାଗି ବିଭିନ୍ନ ଦେଶ ପକ୍ଷରୁ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ବିଶେଷକରି ଅଧିକାଂଶ ଦେଶ ଲକ୍‌ଡାଉନ୍‌ ଉପରେ ଗୁରୁତ୍ୱ ଦେଇଛନ୍ତି। ଭାରତରେ ମଧ୍ୟ ୨୧ ଦିନର ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ହେଲେ ଏହି ୨୧ ଦିନ ଭାରତରେ କରୋନା ଭାଇରସ୍‌କୁ ରୋକିବାରେ ସଫଳ ହେବ କି ନାହିଁ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ବ୍ରିଟେନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଗବେଷକ ଭାବେ କାର୍ଯ୍ୟ କରୁଥିବା ୨ ପ୍ରବାସୀ ଭାରତୀୟ ଏକ ନୂଆ ଗାଣିତିକ ସୂତ୍ର ବାହାର କରିଛନ୍ତି। ଭାରତରେ ୪୯ ଦିନର ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌କୁ ସେମାନେ ସମର୍ଥନ କରିଛନ୍ତି। ଏହାଦ୍ୱାରା କୋଭିଡ୍‌-୧୯ ହାର୍‌ ମାନିବ ଓ ଭାରତର ପୁନରୁତ୍ଥାନ ସମ୍ଭବ ହୋଇପାରିବ ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି। ବିଶ୍ୱବିଦ୍ୟାଳୟର ଆପ୍ଲାଏଡ୍‌ ମ୍ୟାଥ୍‌ମାଟିକ୍ସ ବିଭାଗର ଗବେଷକ ରୋନୋଜୟ ଅଧିକାରୀ ଓ ଥିଓରିଟିକାଲ ଫିଜିକ୍ସର ଗବେଷକ ରାଜେଶ୍‌ ସିଂ ଦର୍ଶାଇଛନ୍ତି, ଭାରତ ସରକାର ଲଗାଇଥିବା ୨୧ ଦିନର ଲକ୍‌ଡାଉନ୍‌ ସେଭଳି ସଫଳ ହେବନାହିଁ। ଶେଷଆଡ଼କୁ କୋଭିଡ୍‌-୧୯ ପୁଣି ମୁଣ୍ଡ ଟେକିବାର ଆଶଙ୍କା ରହିଛି। ସେମାନଙ୍କ ସନ୍ଦଭର୍ର୍ ‘ଇଏଜ୍‌ ଷ୍ଟ୍ରକ୍‌ଚର୍ଡ ଇମ୍ପାକ୍ଟ ଅଫ୍‌ ସୋସିଆଲ ଡିଷ୍ଟାନ୍ସିଂ ଅନ୍‌ ଦ କୋଭିଡ୍‌-୧୯ ପାଣ୍ଡେମିକ୍‌ ଇନ୍‌ ଇଣ୍ଡିଆ’ରେ ବୟସ ଓ ଭାରତର ଜନସଂଖ୍ୟା ଘନତ୍ୱକୁ ଗୁରୁତ୍ୱ ଦିଆଯାଇଛି। ଏଥିସହ ଲକ୍‌ଡାଉନ୍‌ ବେଳେ ସ୍କୁଲ ବନ୍ଦ, କାର୍ଯ୍ୟସ୍ଥଳରେ ଅନୁପସ୍ଥିତି ଆଦିର ପ୍ରଭାବ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ସାମାଜିକ ଘନତ୍ୱ ଭାରତରେ କରୋନା ମହାମାରୀକୁ ବୃଦ୍ଧି କରିବାର ଆଶଙ୍କାକୁ ବୃଦ୍ଧି କରିବ ବୋଲି ସନ୍ଦଭର୍ର୍ରେ ଉଲ୍ଲେଖ ରହିଛି। ଏଭଳି ସ୍ଥିତିରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି ଲକ୍‌ଡାଉନ୍‌ ଅବଧି ବୃଦ୍ଧିକୁ ଗୁରୁତ୍ୱ ଦିଆଯାଇଛି। ଭାରତରେ ଲକ୍‌ଡାଉନ୍‌ ଲାଗୁ କରିବାର ସମୟ ବେଳେ କରୋନା ଆକ୍ରାନ୍ତଙ୍କ ସ୍ଥିତି ଓ ପରବର୍ତ୍ତୀ ସଂକ୍ରମଣ ପ୍ରକ୍ରିୟାକୁ ସନ୍ଦଭର୍ର୍ରେ ବିଚାରକୁ ନିଆଯାଇଛି। ତେଣୁ ବିଭିନ୍ନ ବିଚାରକୁ ଦେଖିଲେ ଭାରତରେ କରୋନା ସଂକ୍ରମଣକୁ ରୋକିବା ଲାଗି ଅତି କମ୍‌ରେ ୪୯ ଦିନର ଲକ୍‌ଡାଉନ୍‌ ଆବଶ୍ୟକ ବୋଲି ଗବେଷକ ଦର୍ଶାଇଛନ୍ତି।

Share