କେରଳରୁ ଖୋର୍ଦ୍ଧା ଷ୍ଟେଶନରେ ପହଞ୍ଚିଲେ ୫୯୩ ପ୍ରବାସୀ ଓଡ଼ିଆ: କରାଗଲା ସ୍କ୍ରିନିଂ, ଷ୍ଟାମ୍ପିଂ, ପଞ୍ଜୀକରଣ

ଜଟଣୀ,୩।୫(ଡି.ଏନ୍‌.ଏ.): କେରଳରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ସ୍ବତନ୍ତ୍ର ଟ୍ରେନ୍‌ ରବିବାର ପୂର୍ବାହ୍ନ ୮ଟା ୫୦ମିନିଟରେ ଖୋର୍ଦ୍ଧା ରୋଡ୍‌ ଷ୍ଟେଶନରେ ପହଞ୍ଚିଥିଲା। ଏହି ଷ୍ଟେଶନରେ ବିଭିନ୍ନ ଜିଲାର ୫୯୩ଜଣ ଓହ୍ଲାଇ ବସ୍‌ ଯୋଗେ ନିଜ ଗ୍ରାମକୁ ଫେରିଥିଲେ। ୧ନମ୍ବର୍‌ ପ୍ଲାଟଫର୍ମରେ ଲାଗିଥିବା ଟ୍ରେନ୍‌ରୁ ଓହ୍ଲାଇବା ପରେ ମହିଳା ଆରପିଏଫଙ୍କୁ ନେଇ ଗଠିତ ସୁଭଦ୍ରା ବାହିନୀ, ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ସେମାନଙ୍କୁ ସ୍ବାଗତ କରିଥିଲେ। ଷ୍ଟେଶନ ବାହାରେ ହୋଇଥିବା ଅସ୍ଥାୟୀ ଶିବିରରେ ଫେରିଥିବା ପ୍ରବାସୀ ଓଡ଼ିଆଙ୍କୁ ଥର୍ମାଲ ସ୍ରିନିଂ, ପଞ୍ଜିକରଣ, ଷ୍ଟାମ୍ପିଂ କରାଯାଇ ଛଡାଯାଇଥିଲା। ଫେରିଥିବା ୧୧୫୦ଜଣଙ୍କ ମଧ୍ୟରୁ ଖୋର୍ଦ୍ଧା ରୋଡ଼ ଷ୍ଟେଶନରେ ବିଭିନ୍ନ ଜିଲାର ୫୯୩ ଜଣ ଓହ୍ଲାଇଥିଲେ।ଏଥିରେ କେନ୍ଦ୍ରାପଡ଼ା ଜିଲାର ସର୍ବାଧିକ ୨୮୩ ଜଣ ରହିଥିଲେ। ଅବଶିଷ୍ଟାଂଶ ଜିଲାର ପ୍ରବାସୀ ଓଡ଼ିଆ ବ୍ରହ୍ମପୁର ନିକଟବର୍ତ୍ତୀ ଜଗନ୍ନାଥପୁର ଷ୍ଟେଶନରେ ସକାଳୁ ଓହ୍ଲାଇ ବସରେ ଗ୍ରାମକୁ ଫେରିଥିଲେ । ଏହାକୁ ନେଇ ଖୋର୍ଦ୍ଧା ରୋଡ୍‌ ଷ୍ଟେଶନରେ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

Share