କେରଳରୁ ଜଗନ୍ନାଥପୁର ଷ୍ଟେଶନରେ ପହଞ୍ଚିଲେ ୫୫୨ ପ୍ରବାସୀ: ୩ ଅସୁସ୍ଥ ହସ୍ପିଟାଲରେ ଭର୍ତ୍ତି, ସ୍ବାବ୍‌ ନମୁନା ସଂଗ୍ରହ

ଛତ୍ରପୁର, ୩।୫(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲା ଜଗନ୍ନାଥପୁର ଜଙ୍କଶନ ଷ୍ଟେଶନରେ ଏର୍ଣ୍ଣାକୁଲମ ଜଙ୍କଶନ – ଭୁବନେଶ୍ୱର ଶ୍ରମିକ ସ୍ପେଶିଆଲ ଟ୍ରେନ୍‌ ରବିବାର ସକାଳ ୫ଟା ୧୭ ମିନିଟ ରେ ୫୫୨ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ପହଞ୍ଚିଥିଲା। ସମସ୍ତେ ସୁରକ୍ଷିତ ଭାବେ ଓହ୍ଲାଇବା ପରେ ୭ଟା ୧୦ରେ ଉକ୍ତ ଟ୍ରେନ୍‌ଟି ଖୋର୍ଦ୍ଧା ଅଭିମୁଖେ ଯାତ୍ରା କରିଥିଲା। ଏଥିରୁ ଗଞ୍ଜାମ ଜ଼ିଲାର ୧୨୨ ଜଣ ଥିବାବେଳେ କନ୍ଧମାଳ ଜ଼ିଲ୍ଲାର ୩୮୯ ଜଣ, ବୌଦ୍ଧର ୬ ଜଣ, ରାୟଗଡାର ୨୭ ଜଣ, କଳାହାଣ୍ଡିର ୩ ଜଣ ଓ ନବରଙ୍ଗପୁର ଜିଲାର ୫ ଜଣ ପ୍ରବାସୀ ଥିଲେ। ସମସ୍ତ ପ୍ରବାସୀଙ୍କ ସ୍କ୍ରିନିଂ ପରେ ବସ ଯୋଗେ ନିଜ ନିଜ ଜିଲାକୁ ପଠାଇ ଦିଆଯାଇଥିଲା। ଗଞ୍ଜାମର ଲୋକଙ୍କୁ ପୁରୁଷୋତ୍ତମପୁର କ୍ୱାରାଣ୍ଟାଇନ ସେଣ୍ଟରକୁ ପଠାଯାଇଥିଲା। ତେବେ ସେମାନଙ୍କ ମଧ୍ୟରେ ଅସୁସ୍ଥ ୩ ଜଣଙ୍କୁ ବ୍ରହ୍ମପୁର ସିଟି ହସ୍ପିଟାଲକୁ ପଠାଯାଇଛି। ସେଠାରେ ସେମାନଙ୍କ ସ୍ବାବ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଛ। ଜଗନ୍ନାଥପୁର ଜଙ୍କଶନ ଷ୍ଟେଶନରେ ଗଞ୍ଜାମ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରୟ, ବିଏମ୍‌ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ପ୍ରମୁଖ ଉପସ୍ଥିତ ଥିଲେ। ସେଠାରେ ୭ଟି ମେଡିକାଲ ଟିମ୍‌, ଜନସ୍ବାସ୍ଥ୍ୟ ଅଧିକାରୀ ବରୁଣ ପାଣିଗ୍ରାହୀ, ୧୫୦ ଜଣ ପୋଲିସ କର୍ମଚାରୀ, ୫୦ ଜଣ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଏବଂ ବ୍ରହ୍ମପୁର, ଛତ୍ରପୁର ଆର୍‌ପିଏଫ୍‌ର ୩୦ ଜଣ ଅଧିକାରୀ ଓ ଷ୍ଟାଫ୍‌ ଉପସ୍ଥିତ ହୋଇ ସହାୟତା ପ୍ରଦାନ କରିଥିବା ଜଣାପଡ଼ିଛି।

Share