କେରଳରେ ଫଶିଛନ୍ତି ୬୫ ଓଡ଼ିଆ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ, ୨୭।୩-କେରଳ ରାଜ୍ୟ ତ୍ରିଶୁର ଜିଲା ପୁରୁନାଟୁକୁରା ଅଞ୍ଚଳର ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନରେ ବିଏଡ୍‌ କରୁଥିବା ବାଲେଶ୍ୱର, ଭଦ୍ରକ, ନୟାଗଡ଼, ଯାଜପୁର, ଜଗତ୍‌ସିଂହପୁର ଜିଲାର ୬୫ଜଣ ଛାତ୍ରୀଛାତ୍ର ଫଶି ରହିଛନ୍ତି। ସେମାନେ ରହିଥିବା ମେସ୍‌ରେ ପିଇବା ପାଣି, ଖାଦ୍ୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଅଭାବ ଦେଖାଦେଇଛି। ଦେଶବ୍ୟାପୀ ଲକ୍‌ଡାଉନ୍‌ ଯୋଗୁ ସେମାନେ ବାହାରକୁ ମଧ୍ୟ ବାହାରି ପାରୁନାହାନ୍ତି। ଶାରୀରିକ ସମସ୍ୟା ଅପେକ୍ଷା ସେମାନେ ମାନସିକ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ବୋଲି ଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଇମେଲ ଜରିଆରେ ଅବଗତ କରାଇଛନ୍ତି। ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଫଶି ରହିଥିବା ଛାତ୍ରୀଛାତ୍ରଙ୍କୁ ଉଦ୍ଧାର କରିବାକୁ ଅଭିଭାବକମାନେ ଦାବି କରିଛନ୍ତି।