କେରଳ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଏସ୍‌ଡିଏ ଅଧ୍ୟକ୍ଷ

ଭୁବନେଶ୍ୱର,୨ା୧୧(ବ୍ୟୁରୋ): ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସ୍‌ଡିଏ) ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଶୁକ୍ରବାର କେରଳ ସ୍ବାସ୍ଥ୍ୟ ମନ୍ତ୍ରୀ କେ.କେ. ଶୈଳଜା ଟିଚରଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ସମୟରେ ଓଏସ୍‌ଡିଏ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଶୈଳଜା ବୁଝିଥିଲେ। ସମଗ୍ର ଦେଶରେ ଯୁବଗୋଷ୍ଠୀଙ୍କ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ହୋଇଛି। ଆଗାମୀ ଦିନରେ ଦକ୍ଷତା ବିକାଶ କ୍ଷେତ୍ରରେ ଥିବା ସୁଯୋଗ ଉପରେ ଉଭୟଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲା।
କେରଳ ସ୍ବାସ୍ଥ୍ୟ ମନ୍ତ୍ରୀ ଶୈଳଜା କହିଥିଲେ ଯେ, କେରଳ ସରକାର ମହିଳାଙ୍କ ସଶକ୍ତୀକରଣକୁ ସର୍ବାଧିକ ପ୍ରାଥମିକତା ଦେଇଥାଆନ୍ତି। ସେଠାକାର ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ବିଭାଗ ଅଧୀନରେ ଜେଣ୍ଡର ପାର୍କ ଭଳି କାର୍ଯ୍ୟକ୍ରମର ପଦକ୍ଷେପ ନିଆଯାଇଛି। ଏଥିରେ ମହିଳାଙ୍କ ବିକାଶ ପାଇଁ ନୀତି ନିର୍ଦ୍ଧାରଣ କରାଯାଇଥାଏ। ଓଏସ୍‌ଡିଏ ଦ୍ୱାରା ପରିଚାଳିତ ନାନୋ ୟୁନିକର୍ନ ଯୋଜନା ସମ୍ପର୍କରେ ଜାଣିବା ପାଇଁ କେରଳ ସରକାର ଆଗ୍ରହୀ। ଏହା ମାଧ୍ୟମରେ ତୃଣମୂଳସ୍ତରରେ ଅନେକ କ୍ଷୁଦ୍ର ବ୍ୟବସାୟୀ ଉପକୃତ ହୋଇ ସ୍ବାବଲମ୍ବୀ ହୋଇପାରିଛନ୍ତି। ୟୁଏନ୍‌ ଓମେନ୍‌ ସହାୟତାରେ କେରଳରେ ‘ଇଣ୍ଟରନ୍ୟାଶନାଲ ଓମେନ୍ସ ଟ୍ରେଡ୍‌ ସେଣ୍ଟର’ ଖୋଲାଯିବ ବୋଲି କେରଳ ସ୍ବାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଥିଲେ। ଅପରପକ୍ଷରେ ଓଡ଼ିଆ ଯୁବକ ଦକ୍ଷତା ବିକାଶ ପାଇଁ କେରଳ ସହ ରାଜିନାମା ସ୍ବାକ୍ଷର ପାଇଁ ଓଏସ୍‌ଡିଏ ଅଧ୍ୟକ୍ଷ ପ୍ରସ୍ତାବ ଦେଇଥିଲେ। ବିଭିନ୍ନ ବିଷୟରେ ଦକ୍ଷତା ଅର୍ଜନ କରୁଥିବା ଯୁବତୀଯୁବକଙ୍କ ନିଯୁକ୍ତ ଉପରେ ମଧ୍ୟ ବାଗ୍‌ଚୀ ଗୁରୁତ୍ୱ ପ୍ରଦାନ କରିଥିଲେ। ବିଶେଷଭାବେ ବର୍ତ୍ତମାନ ବାଙ୍ଗାଲୋରରେ ପଞ୍ଚକର୍ମ ବିଦ୍ୟା ଶିକ୍ଷା କରୁଥିବା ଯୁବବର୍ଗର ନିଯୁକ୍ତି ସମ୍ପର୍କିତ ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ସେହିଭଳି କେରଳ ରାଜ୍ୟରେ କାର୍ଯ୍ୟରତ ଓଡ଼ିଶାର କୁଶଳୀ କାରିଗରଙ୍କୁ ସମସ୍ତ ସହାୟତା ଯୋଗାଇ ଦେବା ପାଇଁ ବାଗ୍‌ଚୀଙ୍କ ପକ୍ଷରୁ ଶୈଳଜାଙ୍କୁ ଅନୁରୋଧ କରାଯାଇଥିଲା। ଉଲ୍ଲେଖଯୋଗ୍ୟ କେରଳ ସ୍ବାସ୍ଥ୍ୟ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକସେବା ଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।

Share