କେସିଙ୍ଗାରେ ଏମ୍‌ଏସ୍‌ଏମ୍‌ଇ ପାର୍କ ପାଇଁ ଖର୍ଚ୍ଚ ହେବ ୧୦୦ କୋଟି

ଭୁବନେଶ୍ୱର,୯।୬(ବ୍ୟୁରୋ): କଳାହାଣ୍ଡି ଜିଲାର କେସିଙ୍ଗାରେ ପ୍ରତିଷ୍ଠା କରାଯାଉଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାର୍କ ପାଇଁ ୧୦୦ କୋଟି ଖର୍ଚ୍ଚ ହେବ। ସୋମବାର ଲୋକସେବା ଭବନରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ସୂଚନା ଦିଆଯାଇଛି।
ଏହି ପାର୍କ ନିର୍ମାଣ କରିବାକୁ କେସିଙ୍ଗାଠାରେ ଏଥିପାଇଁ ସରକାର ୬୪ ଏକର ଜମି ଚିହ୍ନଟ କରିଛନ୍ତି। ଏଥିପାଇଁ ୪୦ କୋଟି ବିନିଯୋଗ କରିବାର ପ୍ରସ୍ତାବ ରହିଛି। ସେଥିମଧ୍ୟରୁ ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷରେ ଏହି ପାର୍କ ନିମନ୍ତେ ୧୦କୋଟି ମଞ୍ଜୁର କରିଛନ୍ତି। ଏବେ ସେଠାରେ ଏକ ଫୁଡ୍‌ ପାର୍କ ପ୍ରତିଷ୍ଠା ଲାଗି ସରକାର ପଦକ୍ଷେପ ନେଇଛନ୍ତି।
ସେଥିରେ ୫୦ କୋଟି ବିନିଯୋଗ ପାଇଁ ପ୍ରସ୍ତାବ ରହିଛି। ଏହା ଯେତେ ଶୀଘ୍ର କରାଯାଇ ପାରିବ ସେଥିପାଇଁ ଆନୁସଙ୍ଗିକ ପଦକ୍ଷେପ ନେବାକୁ ସମୀକ୍ଷା ବୈଠକରେ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ତେବେ ଏହା ପୂର୍ଣ୍ଣାଙ୍ଗ ହେବାକୁ ଦେଢରୁ ଦୁଇ ବର୍ଷ ସମୟ ଲାଗିବ ବୋଲି ପ୍ରାରମ୍ଭିକ ଆକଳନରୁ ଜଣାପଡ଼ିଛି। ତେବେ ଏହି ବହୁ ପ୍ରତୀକ୍ଷିତ ଏମ୍‌ଏସ୍‌ଏମ୍‌ଇ ପାର୍କ ପ୍ରତିଷ୍ଠା ହେଲେ ସ୍ଥାନୀୟ ଯୁବତୀ, ଯୁବକଙ୍କ ନିମନ୍ତେ କର୍ମସଂସ୍ଥାନର ସୁଯୋଗ ସୃଷ୍ଟି ହେବା ସହ କଳାହାଣ୍ଡି ଜିଲା ଶିଳ୍ପ ସମୃଦ୍ଧି ଦିଗରେ ଆଉ ଦୁଇ ପାଦ ଆଗେଇ ଯିବ ବୋଲି ମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି। ଏହି ବୈଠକରେ ନିର୍ବାହୀଯନ୍ତ୍ରୀ ଭକ୍ତ କବି ଦାସ, ମୁଖ୍ୟ ସାଧାରଣ ପ୍ରବନ୍ଧକ, ଏମ୍‌ଏସ୍‌ଏମ୍‌ଇର କୁଶଧର ମହାନ୍ତ, ଅତିରିକ୍ତ ନିର୍ଦ୍ଦେଶକ ଦିଲୀପ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

Share