Categories: ଖେଳ

କେହି ଦେଖିପାରି ନ ଥିଲେ କି ଆଉ ହେବନାହିଁ ଦେଖି କପିଳ ଦେବଙ୍କ ଶ୍ରେଷ୍ଠ ଇନିଂସ

ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଅଧିନାୟକ କପିଳ ଦେବଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ଇନିଂସ ୧୭୫*, ଯାହାକି ୧୯୮୩ ବିଶ୍ୱକପ୍‌ରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଖେଳିଥିଲେ। ଏହାକୁ କେବଳ ସେ ନୁହେଁ, ଅନ୍ୟ କେହି ଦେଖିପାରି ନାହାନ୍ତି। ଉକ୍ତ ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିବା ପାଇଁ ଭାରତକୁ ଜିମ୍ବାଓ୍ବେ ବିପକ୍ଷ ଲିଗ୍‌ ମ୍ୟାଚ୍‌ରେ ନିଶ୍ଚିତ ବିଜୟ ଆବଶ୍ୟକ ଥିଲା। ଉକ୍ତ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ମାତ୍ର ୧୭ ରନ୍‌ରେ ୫ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏଭଳି ସ୍ଥିତିରେ ବ୍ୟାଟିଂ କରିବାକୁ ଆସି କପିଳ ୧୩୮ ବଲରେ ୧୭୫ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ। ତାଙ୍କ ଇନିଂସରେ ଥିଲା ୧୬ ଚୌକା ଓ ୬ ଛକା। ଏଥିଯୋଗୁ ଭାରତ ଧାର୍ଯ୍ୟ ୬୦ ଓଭରରେ ୮ ଉଇକେଟ ହରାଇ ୨୬୬ ରନ୍‌ କରିଥିଲା। ଜବାବରେ ପଦାର୍ପଣକାରୀ ଜିମ୍ବାଓ୍ବେ ୨୩୫ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଏହି ମ୍ୟାଚ୍‌ର ସିଧାପ୍ରସାରଣ କରାଯାଇ ନ ଥିଲା। ଏଣୁ ମ୍ୟାଚର ଭିଡିଓ କୌଣସି ଓ୍ବେବସାଇଟ୍‌ କିମ୍ବା କୌଣସି ବ୍ୟକ୍ତିବିଶେଷଙ୍କ ନିକଟରେ ନାହିଁ। ଏହାର କାରଣ ହେଲା ସମାନ ଦିନ ଆୟୋଜକ ଓ୍ବେଷ୍ଟଇଣ୍ଡିଜ-ଅଷ୍ଟ୍ରେଲିଆ ମ୍ୟାଚ୍‌ ଥିଲା। ସେତେବେଳେ ପ୍ରସାରଣକାରୀ ସଂସ୍ଥା ଗୋଟିଏ ଦିନରେ କେବଳ ଗୋଟିଏ ମ୍ୟାଚ୍‌ ହିଁ କଭର କରିପାରୁଥିଲେ। ଏଭଳି ପରିସ୍ଥିତିରେ ପ୍ରସାରଣକାରୀ ସଂସ୍ଥା ଦୁଇ ଲୋକପ୍ରିୟ ଦଳର ମ୍ୟାଚ୍‌ କଭର କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ସେମାନଙ୍କ ଭୁଲ ଯୋଗୁ କେହି କପିଲଙ୍କ କ୍ୟାରିୟରର ଶ୍ରେଷ୍ଠ ଇନିଂସ ଦେଖିପାରି ନ ଥିଲେ କି ଦେଖି ପାରିବେ ନାହିଁ।

Share