Categories: ଜାତୀୟ

କେ. ପରାଶରନ୍‌ ହେବେ ରାମମନ୍ଦିର ଟ୍ରଷ୍ଟ ମୁଖ୍ୟ

ନୂଆଦିଲ୍ଲୀ/ଲକ୍ଷ୍ନୌ,୬ା୨: ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ବିବାଦ ମାମଲାରେ ହିନ୍ଦୁ ପକ୍ଷର ପ୍ରତିନିଧିତ୍ୱ କରିଥିବା ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ କେ. ପରାଶରନ୍‌ (୯୨) ରାମ ମନ୍ଦିର ନିର୍ମାଣ ପାଇଁ ଗଠନ ହେବାକୁ ଯାଉଥିବା ଟ୍ରଷ୍ଟର ମୁଖ୍ୟ ହେବେ ବୋଲି ଜଣାପଡିଛି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଗଠନ ନେଇ ବୁଧବାର ସକାଳେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ଏହାର କାର୍ଯ୍ୟାଳୟ ଦକ୍ଷିଣ ଦିଲ୍ଲୀର ଗ୍ରେଟର କୈଳାସ-୧ରେ ଥିବା ପରାଶରନଙ୍କ ବାସଭବନରେ ଚାଲିବ। ଗତବର୍ଷ ନଭେମ୍ବର ୯ରେ ସୁପ୍ରିମକୋର୍ଟ ଅଯୋଧ୍ୟା ଜମି ବିବାଦ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ବିବାଦୀୟ ସ୍ଥଳରେ ରାମମନ୍ଦିର ନିର୍ମାଣ ଓ ଅନ୍ୟତ୍ର ମସ୍‌ଜିଦ ନିର୍ମାଣ ଲାଗି ସୁନ୍ନୀ ଓ୍ବାକଫ୍‌ ବୋର୍ଡକୁ ୫ ଏକର ଜମି ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ। ହିନ୍ଦୁ ପକ୍ଷର ବିଜୟ ହେବାରେ ପରାଶରନଙ୍କର ବଡ଼ ଅବଦାନ ଥିଲା। ରାୟ ପ୍ରକାଶ ପାଇବା ପରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ଦୁଇ ଶୀର୍ଷ ନେତା ମୋହନ ଭାଗବତ ଓ ସୁରେଶ ଭୟାଜୀ ଜୋଷୀ ପରାଶରନଙ୍କୁ ଧନ୍ୟବାଦ ଜଣାଇବା ପାଇଁ ତାଙ୍କ ଘରକୁ ଯାଇଥିଲେ।
ଟ୍ରଷ୍ଟରେ କେଉଁମାନେ ସଦସ୍ୟ ରହିବେ ଯଦିଓ ସରକାରୀ ଭାବେ ଘୋଷଣା କରାଯାଇନାହିଁ ତେବେ ଏଥିରେ ଦୁଇଜଣ ବରିଷ୍ଠ ସରକାରୀ ଅଧିକାରୀ ରହିବେ। ଅଯୋଧ୍ୟା ଜିଲାପାଳ ଟ୍ରଷ୍ଟର ସଂଯୋଜକ ରହିବେ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି। ଅନ୍ୟମାନଙ୍କ ମଧ୍ୟରେ ଜ୍ୟୋତିପୀଠ ଶଙ୍କରାଚାର୍ଯ୍ୟ ଖ୍ୟାତନାମା ସନ୍ଥ ସ୍ବାମୀ ବାସୁଦେବାନନ୍ଦ ସରସ୍ବତୀ, ମାଙ୍ଗାଲୁରୁ ପୀଜାଓ୍ବର ମଠର ବିଶ୍ୱ ତୀର୍ଥ, ପୁଣେ ବେଦ ବିଦ୍ୟା ପ୍ରତିଷ୍ଠାନର ସ୍ବାମୀ ଗୋବିନ୍ଦ ଦେବ ଗିରି ମହାରାଜ, ହରିଦ୍ୱାରର ଯୁଗପୁରୁଷ ସ୍ବାମୀ ପରମାନନ୍ଦ, ନିର୍ମୋହୀ ଆଖଡା ମହନ୍ତ ସ୍ବାମୀ ଦିନେନ୍ଦ୍ର ନାଥ, ବିମଳେନ୍ଦ୍ର ମୋହନ ପ୍ରତାପ ମିଶ୍ରା, ଡ. ଅନିଲ ମିଶ୍ରା (ଅଯୋଧ୍ୟା) ଏବଂ ଡ. କମଳେଶ୍ୱର ଚୌପାଲ (ପାଟନା) ସଦସ୍ୟ ରହିବେ ବୋଲି ବିଶ୍ୱ ହିନ୍ଦୁ ପରିଷଦ ସୂତ୍ରରୁ ଜାଣିବାକୁ ମିଳିଛି। ଏହାବ୍ୟତୀତ ୬ ଜଣ ମନୋନୀତ ସଦସ୍ୟ ରହିବେ। ସେମାନଙ୍କୁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଚୟନ କରାଯିବ। ଅଯୋଧ୍ୟା ଆନ୍ଦୋଳନ ସହ ସକ୍ରିୟ ଭାବେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଟ୍ରଷ୍ଟରେ ନିଆଯିବ ବୋଲି ଭିଏଚ୍‌ପିର ଜଣେ ବରିଷ୍ଠ ନେତା କହିଛନ୍ତି।

Share