କାଠମାଣ୍ଡୁ,୨୫।୬: ନେପାଳର ଉତ୍ତର ପଶ୍ଚିମରେ ଥିବା ହିଲସା ନିକଟରେ ତେଲେଙ୍ଗାନାର ପ୍ରାୟ ୪୪ ଜଣ ଭାରତୀୟ ତୀର୍ଥଯାତ୍ରୀ ଫସି ରହିଥିବା ସୂଚନା ମିଳିଛି। ଏମାନେ କୈଳାସ ମାନସରୋବର ଯାତ୍ରାରୁ ଫେରିବା ସମୟରେ ଫସି ରହିଥିବା ସୂଚନା ମିଳିଛି। ଯେଉଁ ଟ୍ରାଭେଲ ଏଜେନ୍ସିରେ ଏମାନେ ରେଜିଷ୍ଟ୍ରେଶନ କରିଥିଲେ ଉକ୍ତ ଟ୍ରାଭେଲ ଏଜେନ୍ସି ସେମାନଙ୍କୁ ହିଲ୍ସା ନିକଟରେ ଛାଡି ଦେଇଥିବା ଜଣାପଡିଛି। ଗତ ୧୩ ତାରିଖରୁ ଏମାନେ କୈଳାସ ମାନସରୋବର ଯାତ୍ରା ଆରମ୍ଭ କରିଥିଲେ। ଏବେ ଉକ୍ତ ଏଜେନ୍ସି ସେମାନଙ୍କୁ କୌଣସି ପ୍ରକାର ସାହାଯ୍ୟ କରୁ ନ ଥିବାରୁ ଏମାନେ ଘର ପର୍ଯ୍ୟନ୍ତ ପହଞ୍ଚିବା ଲାଗି ସରକାରଙ୍କୁ ନିବେଦନ କରିଛନ୍ତି।