କୋଇଡ଼ା ଅଞ୍ଚଳରେ ବାର୍ଡ ଫ୍ଲୁ ଆତଙ୍କ: ରକ୍ତ ନମୁନା ସଂଗ୍ରହ

ବଣାଇଁ,୧୦।୨(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର କୋଇଡ଼ା ଅଞ୍ଚଳରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି l ଗତ ୨୪ ଘଣ୍ଟା ମଧ୍ୟରେ କୋଇଡ଼ାର ଧୋବଲାବେଡା ଓ କୋଇଡ଼ାଠାରେ କିଛି କାଉ ଓ କୁକୁଡ଼ା ମରି ପଡିବା ଏବଂ ଆଉ କିଛି ଛଟପଟ ହେବା ଦେଖି ଲୋକେ ପ୍ରାଣୀଧନ ବିଭାଗକୁ ଜଣାଇଥିଲେ। ବିଭାଗ ପକ୍ଷରୁ ଦୁଇଜଣିଆ ଟିମ୍‌ ଡ. ନୀଳମାଧବ ସାହୁ ଏବଂ ପ୍ରାଣୀଧନ ନିରୀକ୍ଷକ ରାକେଶ କୁମାର ପ୍ରଧାନ ମୃତ କାଉ ଓ କୁକୁଡ଼ା ବ୍ୟବଚ୍ଛେଦ କରିଛନ୍ତି। ପରେ ନମୁନା ସଂଗ୍ରହ କରିବା ସହ କୋଇଡ଼ା ସହରରେ ଥିବା ୫ଟି କୁକୁଡା ଦୋକାନରୁ ମଧ୍ୟ ରକ୍ତ ସଂଗ୍ରହ କରି ପରୀକ୍ଷା ନିମନ୍ତେ କଟକ ପଠାଇଛନ୍ତି। ଯଦି ରିପୋର୍ଟ ପଜିଟିଭ ଆସେ ତେବେ ତୁରନ୍ତ କୁକୁଡାମରା ଅଭିଯାନ ଆରମ୍ଭ ହେବ ବୋଲି ପ୍ରାଣୀଧନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l