କୋଇଲା ଅତିରିକ୍ତ ଟିକସ ୫୬୦ କୋଟି ଟଙ୍କା ଦାବିକଲା ଓଡ଼ିଶା

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ରାଜ୍ୟ ସରକାର କୋଇଲା ଉପରୁ କେନ୍ଦ୍ର ସରକାର ଆଦାୟ କରିଥିବା ଅତିରିକ୍ତ ଟିକସ(ଲେଭି) ବାବଦ ୫୬୦ କୋଟି ଟଙ୍କା ଦେବାକୁ ଦାବି କରିଛନ୍ତି। କୋଇଲା ଖଣି ରଦ୍ଦ ହେବା ପୂର୍ବରୁ ଲିଜଧାରୀଙ୍କଠାରୁ କେନ୍ଦ୍ର ସରକାର ଉକ୍ତ ଟିକସ ଆଦାୟ କରିଥିଲେ। ୧୯୯୩ରୁ ସ୍କ୍ରିନିଂ କମିଟି ଏବଂ କେନ୍ଦ୍ର ସରକାରଙ୍କ ଜରିଆରେ ଯୋଗାଇ ଦିଆଯାଇଥିବା କୋଲବ୍ଲକଗୁଡିକୁ ୨୦୧୪ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ ରଦ୍ଦ କରି ଦେଇଥିଲେ। ୨୧୮ଟି କୋଲ ବ୍ଲକକୁ ୨୦୧୪ ଲିଜ୍‌କୁ ବାତିଲ କରି ଦେଇଥିଲେ। ତେବେ କେନ୍ଦ୍ର ସରକାର କୋଲ କଣ୍ଟ୍ରୋଲର ଅର୍ଗାନାଇଜେଶନ ଦ୍ୱାରା ଲେଭି ଆଦାୟ କରିବାକୁ ଅନୁମତି ପାଇଥିଲେ। ପୂର୍ବରୁ ଏହି ସଂସ୍ଥା ଲିଜଧାରୀଙ୍କଠାରୁ ଟିକେଟ ଆଦାୟ କରିଥିଲେ। କେନ୍ଦ୍ର ସରକାର ରାଜ୍ୟ ରାଜକୋଷରେ ସେହି ଅର୍ଥ ପଇଠ କରିନାହାନ୍ତି ବୋଲି ଇସ୍ପାତ ଓ ଶିଳ୍ପ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟରୁ ୩୧ଟି ଲିଜ ବାତିଲ ହୋଇଥିବା କୋଇଲା ବ୍ଲକରୁ ଅତିରିକ୍ତ ଟିକସ ଆଦାୟ କରିଥିଲେ। କୋଲ କଣ୍ଟ୍ରୋଲର କୋଇଲା ଟନ୍‌ ପିଛା ୨୯୫ ଟଙ୍କା ଆଦାୟ କରିଛନ୍ତି। ଓଡିଶାରୁ କଣ୍ଟ୍ରୋଲର ୫୬୦ କୋଟି ଟଙ୍କା ହିଣ୍ଡାଲକୋଠାରୁ ଆଦାୟ କରିଥିଲେ। ହିଣ୍ଡାଲକୋ ତଳାବିରା-୧ କୋଲ ବ୍ଲକ ପାଇଁ ୫୬୦ କୋଟି ଟଙ୍କା ପ୍ରଦାନ କରିଛି। କେବଳ ଓଡ଼ିଶା ନୁହେଁ ଛତିଶଗଡ ଏବଂ ପଶ୍ଚିମବଙ୍ଗ ମଧ୍ୟ ଏହି ଟିକସ ପାଇବାକୁ ଦାବି କରିଛନ୍ତି।

Share