ବାହାନଗା,୨୮।୫(ଡି.ଏନ୍.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖନ୍ତାପଡାସ୍ଥିତ ରେଳଷ୍ଟେଶନରେ ଲୋପ୍ଲାଇନରେ କୋଇଲା ବୋଝେଇ ଟ୍ରେନରୁ ମଙ୍ଗଳବାର ଶ୍ରମିକମାନେ କୋଇଲା ଅନ୍ଲୋଡ କରୁଥିଲେ। ଏହି ସମୟରେ ବିଦ୍ୟୁତ ଆଘାତରେ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ସେ ହେଲେ ନଈଛଣପୁର ଗ୍ରାମର ଉମେଶ ମଲ୍ଲିକ (୩୦)। ଗୁରୁତର ଅବସ୍ଥାରେ ତାଙ୍କୁ ଖନ୍ତାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆହତ ପରିବାରକୁ କ୍ଷତିପୂରଣ ଦାବିରେ ଶ୍ରମିକଙ୍କ ପକ୍ଷରୁ ଆନ୍ଦୋଳନ ହୋଇଥିଲା। ଫଳରେ ଦେଢ ଘଣ୍ଟା କାଳ ଟ୍ରେନ ଚଳାଚଳ ବନ୍ଦ ରହିଥିଲା। ରେଳବାଇ ଇନ୍ସପେକ୍ଟର ଜଗନ୍ନାଥ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ଅନ୍ଲୋଡ ବେଳେ ଲୋପ ଲାଇନରେ କ’ଣ ପାଇଁ ବିଦ୍ୟୁତ କାଟ କରାଯାଇ ନ ଥିଲା ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହିତ ଉମେଶଙ୍କୁ ଠିକାଦାର ସମସ୍ତ କ୍ଷତିପୂରଣ ଦେବା ପାଇଁ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ହଟିଥିଲା। ପରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିଲା। ପରମୁହୂର୍ତ୍ତରେ ଶ୍ରମିକମାନେ କୋଇଲା ଅନ୍ଲୋଡରେ ସହଯୋଗ କରିଥିଲେ।