କୋଇଲା ଉତ୍ତୋଳନ ପରେ ହେଉନି ବାଲି ଫିଲିଂ

ତାଳଚେର,୨୦ା୮(ନି.ପ୍ର.)ତାଳଚେରସ୍ଥିତ ଏମ୍‌ସିଏଲର ଥିବା କୋଇଲା ଖଣିଗୁଡିକରୁ କୋଇଲା ଉତ୍ତୋଳନ ପରେ ସେଠାରେ ଠିକ୍‌ ପରିମାଣର ବାଲି ଫିଲିଂ କରାଯାଉ ନାହିଁ। ଏ ନେଇ ତାଳଚେର ଭୂଗର୍ଭ କୋଇଲା ଖଣି କ୍ଷତିଗ୍ରସ୍ତମାନେ ସୋମବାର ଅନୁଗୋଳ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି। ସହର ନିକଟରେ ଏମ୍‌ସିଏଲର ଦେଉଳବେଡା, ଚମ୍ପାପଶି, ଡେରା, ହାଣ୍ଡିଧୂଆଁ ଭୂଗର୍ଭ କୋଇଲା ଖଣି ରହିଛି ା ଏହି କୋଇଲା ଖଣିଗୁଡିକରୁ କୋଇଲା ଉତ୍ତୋଳନ ସରିଛି। କୋଇଲା ଉତ୍ତୋଳନ ପରେ ସମ ପରିମାଣର ବାଲି ସେଠାରେ ଫିଲିଂ କରାଯିବାର ନିୟମ ରହିଛି। ହେଲେ ଦୀର୍ଘ ବର୍ଷ ହେଲା ଏମସିଏଲ ପକ୍ଷରୁ ସେଠାରେ ବାଲି ଫିଲିଂ କାମ ଶେଷ ହେଉ ନ ଥିବା ଅଭିଯୋଗ କରାଯାଇଛି। ବିଗତ ଦିନଗୁଡିକରେ ତାଳଚେର ସହରର ବିଭିନ୍ନ ସ୍ଥାନରେ ମାଟି ଦବିବା ସହ ଘରେ ଫାଟ ସୃଷ୍ଟି ହେଉଥିବା ନଜିର ରହିଛି। ଏଥିଯୋଗୁ ସହରବାସୀ ନିଜକୁ ଅସୁରକ୍ଷିତ ମଣିବା ସହିତ ଭୟଭୀତ ଅବସ୍ଥାରେ ରହୁଛନ୍ତି। ତୁରନ୍ତ ତାଳଚେର ଅଞ୍ଚଳରେ ଭୂଗର୍ଭ କୋଇଲା ଖଣି ଦ୍ୱାରା ଅସୁରକ୍ଷିତ ସ୍ଥାନରେ ବାସ କରୁଥିବା ଜନସାଧାରଣଙ୍କୁ ଉଚିତ କ୍ଷତିପୂରଣ ଦେଇ ସ୍ଥାନାନ୍ତର କରାଯିବା, ବାଲି ଫିଲିଂ କାମର ସିବିଆଇ ତଦନ୍ତ କରାଯିବାକୁ ରଞ୍ଜିତ ମହାପାତ୍ର, ଜିତୁ ବେହେରା, ସୌଭାଗ୍ୟ ଚନ୍ଦ୍ର ପଟ୍ଟନାୟକ, ଗୁନା ମହାପାତ୍ର, ଲିଟୁ ମହାରଣା ଓ ଅନ୍ୟମାନେ ଜିଲାପାଳଙ୍କଠାରେ ଦାବି କରିଛନ୍ତି।