ସମ୍ବଲପୁର, ୧୬।୪ (ବ୍ୟୁରୋ): କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ମହାନଦୀ କୋଇଲା କମ୍ପାନୀ (ଏମସିଏଲ) ବିବିଧ କାର୍ଯ୍ୟକ୍ରମ ହାତକୁ ନେଇଛି। ଏହି କ୍ରମରେ କୋଭିଡ- ୧୯କୁ ପ୍ରତିରୋଧ କରିବା ଲକ୍ଷ୍ୟରେ ଓଡିଶାର ବିଭିନ୍ନ କୋଇଲା କ୍ଷେତ୍ରର ଆବାସିକ କଲୋନୀ ଓ ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡିକରେ ସାନିଟାଇଜେସନ୍ କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଇଛି । ଅନୁଗୋଳ, ଝାରସୁଗୁଡା, ସୁନ୍ଦରଗଡ ଜିଲାରେ କମ୍ପାନୀର ସମସ୍ତ କୋଇଲା କ୍ଷେତ୍ର, କାର୍ଯ୍ୟାଳୟ ପରିସର ଓ ଗାଁ ଗୁଡିକରେ ସାନିଟାଇଜେସନ୍ କରାଯାଇଛି । ମହାପ୍ରବନ୍ଧକ ସ୍ତରୀୟ ଅଧିକାରୀଙ୍କ ନେତୃତ୍ୱରେ ଇଣ୍ଟରନାଲ ଟାକ୍ସ ଫୋର୍ସ ସହିତ କପୋରେର୍ଟ ଅଫିସ, ତାଳଚେର ଏବଂ ଇବ୍ କୋଇଲା ଖଟିରେ ୨୪ ଘଣ୍ଟିଆ ହେଲପ୍ ଲାଇନ ବ୍ୟବସ୍ଥା କରାଯାଇଛି। ସୂଚନାଯୋଗ୍ୟ ଯେ, କମ୍ପାନୀର ହାରାହାରି ୭୮୦ଜଣ ଅଧିକାରୀଙ୍କ ନେତୃତ୍ୱରେ ୧୬ ହଜାର କର୍ମଚାରୀ, ୧୧ ହଜାରରୁ ଉର୍ଦ୍ଧ୍ୱ ଠିକା କର୍ମଚାରୀ ରାଜ୍ୟରେ ଥିବା ୧୫ଟି କୋଇଲା ଖଣିରେ କାର୍ଯ୍ୟ କରୁଛନ୍ତି । ତେଣୁ କମ୍ପାନୀ ପକ୍ଷରୁ ପ୍ରତିଷେଧକ ବ୍ୟବସ୍ଥା ମଧ୍ୟ କରାଯାଇଛି।