କୋଇଲା ଚୋରା ଚାଲାଣ ବେଳେ ୨ଟ୍ରକ ଜବତ

ବାସୁଦେବପୁର, ୨୨ା୧୨(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବାସୁଦେବପୁର-ଧାମରା ରାସ୍ତାର ପାରାଛକ ନିକଟରୁ ବାସୁଦେବପୁର ପୋଲିସ ଶନିବାର ରାତ୍ରିକାଳୀନ ପାଟ୍ରୋଲିଂ ବେଳେ ଚୋରା କୋଇଲା ଭର୍ତ୍ତି ୨ଟି ଟ୍ରକକୁ ଜବତ କରିଛି। ଏହି ଟ୍ରକରେ ଧାମରାରୁ ଚୋରା କୋଇଲା ବୋଝେଇ ହୋଇ ରାଜ୍ୟ ବାହାରକୁ ଚାଲାଣ ହେଉଥିଲା। ପୋଲିସ ଜବତ କରିଥିବା ଟ୍ରକ ଦୁଇଟିର ନମ୍ବର ହେଲା ଡବ୍ଲ୍ୟୁ ବି ୩୩ ବି ୦୭୫୩ ଓ ଡବ୍ଲ୍ୟୁ ବି ୩୩ ଇ ୧୪୯୯। ଗିରଫ ଦୁଇ ଟ୍ରକ ଡ୍ରାଇଭର ହେଲେ ପଶ୍ଚିମବଙ୍ଗ ମେଦିନପୁର ଗ୍ରାମର ପ୍ରଭାସ ବେରା ଓ କ୍ରିଷ୍ଣପଦ ମହନ୍ତ। ଗିରଫ ଦୁଇ ଟ୍ରକ ଡ୍ରାଇଭରଙ୍କୁ ବାସୁଦେବପୁର ପୋଲିସ ରବିବାର ଗିରଫ କରି ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି। ଧାମରା ବନ୍ଦରାଞ୍ଚଳକୁ ବିଦେଶରୁ ଜଳ ଜାହାଜ ଯୋଗେ ଆସୁଥିବା କୋଇଲାକୁ ଚୋରା ବେପାରୀଙ୍କ ହାତେଇ ରାଜ୍ୟ ବାହାରକୁ ପ୍ରତିଦିନ ଏପରି ଚୋରା ଚାଲାଣ କରୁଥିବା କୁହାଯାଉଛି। ଏ ଦିଗରେ ପ୍ରଶାସନ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହେଉଛି। ବାସୁଦେବପୁର ପୋଲିସ ଏହି ଚୋରା କୋଇଲା ଜବତ ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା କହିଛି।