Advertisement

କୋଇଲା ଚୋରି ମାମଲା: ଗାଡି ଚାଳକ, ହେଲପର ଓ କ୍ରେତା ଦଣ୍ଡିତ

କେନ୍ଦୁଝର, ୨୪ା୧୦ (ସ୍ବ.ପ୍ର.)-କୋଇଲା ଚୋରି କରି ଅନ୍ୟ ଜଣଙ୍କୁ ବିକିଥିବା ଟ୍ରକ ଚାଳକ ଓ ହେଲପରଙ୍କ ସମେତ କୋଇଲା କିଣିଥିବା ଜଣେ ଇଟା କାରଖାନା ମାଲିକଙ୍କୁ ବୁଧବାର ସ୍ଥାନୀୟ ସିଜେଏମ କୋର୍ଟ ପକ୍ଷରୁ ଦଣ୍ଡାଦେଶ ପ୍ରଦାନ କରାଯାଇଛି। ୧୦ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ସିଜେଏମ ତିରଞ୍ଜନ ପାତ୍ର ଗାଡି ଡ୍ରାଇଭର ଗିରିଧାରୀ ନାୟକ ଓ ହେଲପର ପ୍ରକାଶ ମହାନ୍ତଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନଦେୟ ଆଉ ୩ ମାସ ଜେଲ ଭୋଗିବାକୁ ପଡ଼ିବ। ସେହିପରି ଚୋରାମାଲ କିଣିଥିବା ଇଟା କାରଖାନା ମାଲିକ ବାଲେଶ୍ୱର ଜିଲା ବଉଳଗାଡ଼ିଆ ଅଞ୍ଚଳର ରମେଶ ମହାନ୍ତିଙ୍କୁ ୩ ବର୍ଷ ଜେଲ ଓ ୫ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ନ ଦେଲେ ଅଧିକ ଏକ ମାସ ଜେଲ ଭୋଗିବାକୁ ପଡ଼ିବ। ତେବେ ପ୍ରମାଣ ଅଭାବରୁ ଇଟା କାରଖାନା କର୍ମଚାରୀ ଭଦ୍ରକ ଜିଲା ଥମ୍ବାଖୁଣ୍ଟି ଅଞ୍ଚଳର ବସନ୍ତ କୁଅଁରଙ୍କୁ ଖଲାସ କରାଯାଇଥିବା ସରକାରୀ ଓକିଲ ଅଶୋକ କୁମାର ଦାସସୂଚନା ଦେଇଛନ୍ତି ା ମକଦ୍ଦମା ବିବରଣୀ ଅନୁଯାୟୀ, ୨୦୧୩ ମାର୍ଚ୍ଚ ମାସରେ କେନ୍ଦୁଝରରୁ ଲୁହାପଥର ନେଇ ଏକ ଟ୍ରକ ବିଶାଖାପଟ୍ଟନାମକୁ ଯାଇଥିଲା। ସେଠାରୁ ତ୍ରିବେଣୀ ଟ୍ରାନ୍ସପୋର୍ଟର କୋଇଲା ଧରି ଏହି ଟ୍ରକ ଅନୁଗୋଳର ଗଣେଶ ସ୍ପଞ୍ଜ କାରଖାନାକୁ ଫେରୁଥିଲା। କେନ୍ଦୁଝର ଆସିବା ପରେ ଡ୍ରାଇଭର ଓ ହେଲପର ଗାଡି ମାଲିକଙ୍କୁ ଭଡ଼ା ହସ୍ତାନ୍ତର କରି କୋଇଲା ଧରି ଅନୁଗୋଳ ଯାଉଛି ବୋଲି କହି ଯାଇଥିଲେ। କିଛି ଦିନ ପରେ କୋଇଲା ନ ପହଞ୍ଚିବାରୁ ଏନେଇ ଖୋଳତାଡ଼ କରାଯିବାରୁ ଏହାକୁ ବାଲେଶ୍ୱରରେ ବିକ୍ରି କରାଯାଇଥିବା ପୋଲିସ ଜାଣିବାକୁ ପାଇଥିଲା। ଗାଡ଼ି ମାଲିକଙ୍କ ଏତାଲା ଭିତ୍ତିରେ ପୋଲିସ ମକଦ୍ଦମା ରୁଜୁ କରି ୪ଜଣଙ୍କୁ ଗିରଫ କରିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel