କୋଇଲା ତଳେ ଦବିଗଲେ ୪

ତାଳଚେର,୨୫ା୭(ନି.ପ୍ର.): ଅନୁଗୋଳ ଜିଲା ତାଳଚେରସ୍ଥିତ ମହାନଦୀ କୋଲ୍‌ ଫିଲଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌)ର ଭରତପୁର କୋଇଲା ଖଣିରେ ମଙ୍ଗଳବାର ରାତିରେ ଘଟିଛି ଦୁର୍ଘଟଣା। ବ୍ଲାଷ୍ଟିଂ ପରେ ଏହି ଓପନକାଷ୍ଟ ଖଣିର ସରଫେସ ମାଇନର ଫେସ୍‌ (ରାକଶବହାଳ ଗ୍ରାମ ନିକଟ)ରେ ଏକ ବିରାଟ ମାଟି ଅତଡା ଧସି ଯିବାରୁ କୋଇଲା ଖନନ କରୁଥିବା ୧୩ ଜଣ ଶ୍ରମିକ, କର୍ମଚାରୀ ସେଠାରେ ଫସି ଯାଇଥିଲେ। ୯ଜଣ ଦୂରକୁ ଛିଟିକି ପଡ଼ିବାରୁ ସେମାନଙ୍କୁ ଭୋର୍‌ ସୁଦ୍ଧା ଉଦ୍ଧାର କରାଯାଇ ସେଣ୍ଟ୍ରାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଅନ୍ୟ ୪ଜଣ କୋଇଲା ଗଦା ତଳେ ରହି ଯାଇଥିବାରୁ ରାତିରେ ସେମାନଙ୍କୁ ଉଦ୍ଧାର କରାଯାଇପାରି ନ ଥିଲା। ବୁଧବାର ଅପରାହ୍ନରେ ଏମ୍‌ସିଏଲ୍‌ର ରେସ୍‌କ୍ୟୁ ଟିମ୍‌ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ଡ୍ରାଇଭର ପିପୁନ ବିଶ୍ୱାଳଙ୍କ ମୃତଦେହ କୋଇଲା ଗଦା ତଳୁ ବାହାର କରିଛି। ରିପୋର୍ଟ ଲେଖାଯିବା ବେଳକୁ ଅନ୍ୟ ୩ଜଣ ସୁପରଭାଇଜର ରଶ୍ମିରଞ୍ଜନ ବେହେରା, ସିକ୍ୟୁରିଟି ଗାର୍ଡ ରମେଶ ଦାସ, ପମ୍ପ ଖଲାସୀ କାର୍ତ୍ତିକେଶ୍ୱର ମହାପାତ୍ରଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଥିବା ପ୍ରଶାସନ ଓ ଖଣି କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି।
ଭରତପୁର ଖଣିରେ କୋଇଲା ଉତ୍ତୋଳନ ପାଇଁ ଏମ୍‌ସିଏଲ୍‌ ପକ୍ଷରୁ ଘରୋଇ କମ୍ପାନୀ ସିକଲକୁ ନିୟୋଜିତ କରାଯାଇଛି। ମଙ୍ଗଳବାର ରାତି ୯ଟାରେ ସିଫ୍ଟ ଚେଞ୍ଜ ହୋଇଥିଲା। ଶ୍ରମିକମାନେ ଖଣି ଭିତରକୁ କାମ କରିବାକୁ ଯାଇଥିଲେ। ରାତି ପ୍ରାୟ ୧୧ଟା ୩୦ ମଧ୍ୟରେ ବ୍ଲାଷ୍ଟିଂ ପରେ ଖଣି ଭିତରକୁ ପାହାଡ଼ ସଦୃଶ ବିରାଟ ମାଟି ଅତଡା ଖସି ପଡ଼ିଥିଲା। ଫଳରେ ୧୦ଟି ଭାରିଯାନ ସହିତ ୧୩ ଶ୍ରମିକ ଭିତରେ ରହିଯାଇ ଥିଲେ। ୪ ଜଣ ମାଟି ଓ କୋଇଲା ତଳେ ସମ୍ପୂର୍ଣ୍ଣ ପୋତିହୋଇ ଯାଇଥିବାରୁ ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପାରି ନ ଥିଲା। ଭୋର ସୁଦ୍ଧା ଅନ୍ୟ ୯ଜଣ ଅପରେଟର ଦୀପକ କୁମାର ସାହୁ, ପଙ୍କଜଲୋଚନ ବେହେରା, ଡ୍ରାଇଭର ରାଜୀବ ଲୋଚନ ସାହୁ, ବିନୋଦ ସାହୁ, ଅପେରଟର ମନୋଜ କୁମାର ପ୍ରଧାନ, ଅଶୋକ କୁମାର ସାହୁ, ନିରାକାର ବେହେରା, ରଞ୍ଜନ ପ୍ରଧାନ ଓ ପିଣ୍ଟୁ ସ୍ବାଇଁଙ୍କୁ ରାତି ସାଢେ ୪ଟାରେ ଅଣାଯାଇ ସେଣ୍ଟ୍ରାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନେ ସମସ୍ତେ ବିପଦମୁକ୍ତ ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ଏମ୍‌ସିଏଲ୍‌ର ଡାଇରେକ୍ଟର ଟେକ୍ନିକାଲ ଜେ.ପି. ସିଂହ କହିଛନ୍ତି, ଏହା ବହୁତ ଗମ୍ଭୀର ଘଟଣା। ପ୍ରଶାସନ ଓ ଏମ୍‌ସିଏଲ୍‌ ମିଳିତ ସହଯୋଗରେ ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି। ପୀଡିତମାନଙ୍କ ପରିବାରକୁ ଯଥାସମ୍ଭବ ସହାୟତା ପ୍ରଦାନ କରାଯିବ।

Share