କୋଇଲା ବୋଝେଇ ଟ୍ରକ୍‌ ସହ ସ୍କୁଟି ମୁହାଁମୁହିଁ : ୨ ଗୁରୁତର

ନିଶ୍ଚିନ୍ତକୋଇଲି,୨୨।୧(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା କଟିକଟା ବଜାରରେ ବୁଧବାର ସକାଳେ ଦୁର୍ଘଟଣା ଘଟିଛି। ଏକ କୋଇଲା ବୋଝେଇ ଟ୍ରକ୍‌ ସ୍କୁଟିକୁ ଧକ୍କା ଦେବା ଫଳରେ ସ୍କୁଟି ଚାଳକଙ୍କ ସମେତ ତାଙ୍କ ଭାଇ ଗୁରୁତର ହୋଇଛନ୍ତି। ଗୁରୁତର ହେଲେ କଟିକଟା ପଞ୍ଚାୟତ ବ୍ରଜରାଜପାଟଣା ଗ୍ରାମର ଦୋଳଗୋବିନ୍ଦ ସାହୁଙ୍କ ପୁଅ ଅଂଶୁମାନ(୧୮) ଓ ତାଙ୍କ ଭାଇ ଅମ୍ରିତ୍‌(୧୫)। ଗୁରୁତର ଅବସ୍ଥାରେ ଉଭୟଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନାଯୋଗ୍ୟ, ସକାଳେ ଅଂଶୁମାନ ଓ ଅମ୍ରିତ୍‌ କଟିକଟା ବଜାରକୁ ଔଷଧ ନେବାକୁ ଆସୁଥିବା ବେଳେ କଟକରୁ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରାଯାଇ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରୁ ଉଭୟଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌ ଡ୍ରାଇଭରଙ୍କୁ ଗିରଫ କରିବା ସହ ଟ୍ରକ୍‌ ଓ ସ୍କୁଟିକୁ ଜବତ କରିଛି।

Share