କୋଇଲା ରୟାଲିଟି ବୃଦ୍ଧିକୁ ପୁଣି ଏଡ଼ାଇଗଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,୮।୧୧(ବ୍ୟୁରୋ): ରାଜ୍ୟ ସରକାର କୋଇଲା ରୟାଲିଟି ବୃଦ୍ଧି ପାଇବା ନେଇ ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରୁଛନ୍ତି। ମାତ୍ର କେନ୍ଦ୍ର ସରକାର ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି। ଶୁକ୍ରବାର ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ରୟାଲିଟି ବୃଦ୍ଧି ସମ୍ପର୍କିତ ପ୍ରସ୍ତାବକୁ ଏଡ଼ାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ପରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, କୋଇଲା ରୟାଲିଟି ବୃଦ୍ଧି ନେଇ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି। ବିଦ୍ୟୁତ୍‌ ମୂଲ୍ୟର ବୃଦ୍ଧି ଯୋଗୁ ରୟାଲିଟି ବୃଦ୍ଧି କରିବା ସମ୍ଭବ ହେଉନାହିଁ। ତେବେ ରାଜ୍ୟ ସରକାରଙ୍କ ଏହି ପ୍ରସ୍ତାବ ଉପରେ ବିଚାର କରାଯାଉଛି। ଅପରପକ୍ଷେ ୨୦୨୦ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟରେ ଥିବା ୨୪ ଖଣିର ଅବଧି ଶେଷ ହେବାକୁ ଯାଉଛି। ଶିଳ୍ପ ସଂସ୍ଥା ଉପରେ ଏହାର ପ୍ରଭାବ ପଡ଼ିବା ନେଇ ଆଶଙ୍କା କରାଯାଇଛି। ଯଦି ଖଣି ଗୁଡ଼ିକର ନିଲାମ ନିର୍ଦ୍ଧାରିତ ସମୟରେ ନ ହୁଏ ତେବେ ଶିଳ୍ପଗୁଡ଼ିକୁ କଞ୍ଚାମାଲ ଯୋଗାଇବାରେ ସମସ୍ୟା ଉପୁଜିପାରେ। ଏସମ୍ପର୍କିତ ଏକ ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପରିବେଶ ମଞ୍ଜୁରୀ ପାଇଥିବା ଖଣିଗୁଡ଼ିକୁ ରାଜ୍ୟ ସରକାର ନିଲାମ କରିପାରିବେ। ଖଣି ନିଲାମ ନ ହୋଇପାରିଲେ ଶିଳ୍ପ ସଂସ୍ଥାଗୁଡ଼ିକ କଞ୍ଚାମାଲ ପାଇବାରେ ଯେପରି ସମସ୍ୟା ନ ହେବ ସେଥିପ୍ରତି ଧ୍ୟାନ ଦିଆଯିବ। ରାଜ୍ୟରେ ଥିବା ସରକାରୀ ଉଦ୍ୟୋଗଗୁଡ଼ିକ ଅଧିକ ଖଣିଜ ପଦାର୍ଥ ଉତ୍ତୋଳନ କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯିବ ବୋଲି ସେ କହିଛନ୍ତି।

Share