Advertisement

କୋଙ୍ଗୋ ଡଙ୍ଗା ବୁଡ଼ିରେ ପ୍ରାଣ ହରାଇଲେ ୩୦ ଯାତ୍ରୀ

କୋଙ୍ଗୋ,୨୭।୫: ପଶ୍ଚିମ କୋଙ୍ଗୋ ଗଣତାନ୍ତ୍ରିକ ରାଜ୍ୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଉକ୍ତ ଅଞ୍ଚଳରେ ଥିବା ଏକ ହ୍ରଦରେ ଡଙ୍ଗା ବୁଡ଼ିବାରୁ ୩୦ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ବହୁ ଲୋକ ଏବେ ବି ନିଖୋଜ ଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଶନିବାର ମାଇ- ନଡୋମ୍ବେ ନିକଟରେ ଥିବା ଏକ ହ୍ରଦରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଏବେ ପର୍ଯ୍ୟନ୍ତ ୩୦ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ସେଥିରେ ୧୨ଜଣ ମହିଳା,୧୧ଶିଶୁ ଓ ୭ ପୁରୁଷ ରହିଛନ୍ତି ବୋଲି ଇନୋଙ୍ଗୋର ମେୟର ସିମନ ଏମ୍‌ବିଓ ଓ୍ବେମ୍ବା ସୂଚନା ଦେଇଛନ୍ତି। ଏଥିସହ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ସେ କହିଛନ୍ତି। ତେବେ ଡଙ୍ଗାରେ କେତେଜଣ ଯାତ୍ରୀ ଥିଲେ ତାହା ଏବେ ବି ସ୍ପଷ୍ଟ ହୋଇପାରି ନାହିଁ। ସେହିପରି ଡଙ୍ଗାରେ କ୍ଷମତା ଠାରୁ ଅଧିକ ଯାତ୍ରୀ ଓ ଜିନିଷ ନିଆଯାଉଥିବାରୁ ଏହି ଦୁର୍ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share