କୋଚିଂ ସେଣ୍ଟର ଖୋଲିବାକୁ ସର୍ତ୍ତମୂଳକ ଅନୁମତି ଦାବି: ଆନ୍ଦୋଳନ ଚେତାବନୀ ଦେଲେ ଘରୋଇ ଶିକ୍ଷକ

ଭୁବନେଶ୍ୱର, ୩।୬(ବ୍ୟୁରୋ): କରୋନା ମହାମାରୀ ଲକ୍‌ଡାଉନ୍‌ ଯୋଗୁ ୩ମାସ ହେଲା ଟ୍ୟୁଶନ ଓ କୋଚିଂସେଣ୍ଟର ବନ୍ଦ ରହିଛି। ଏହା ଛାତ୍ରୀଛାତ୍ରଙ୍କ ଶିକ୍ଷାର ବିକାଶ ଉପରେ ଘୋର ପ୍ରଭାବ ପକାଇଛି। ସେହିପରି କୋଚିଂ ସେଣ୍ଟର ବନ୍ଦ ଯୋଗୁ ଏହାର ମାଲିକମାନେ ଘର ଭଡ଼ା ଓ କାର୍ଯ୍ୟରତ ଶିକ୍ଷକ, କର୍ମଚାରୀଙ୍କୁ ବେତନ ଦେଇ ହତାଶ ହୋଇଗଲେଣି। ଏହାର ସାମାଧାନ ପାଇଁ ସରକାର ୭ଦିନ ମଧ୍ୟରେ କୋଚିଂ ସେଣ୍ଟରଗୁଡ଼ିକୁ ସର୍ତ୍ତମୂଳକ ଖୋଲିବାକୁ ପ୍ରଦାନ କରନ୍ତୁ ବୋଲି ଓଡ଼ିଶା କୋଚିଂ ଏଣ୍ଡ୍‌ ଟ୍ରେନିଂ ଏକାଡେମିକ୍‌ ଆସୋସିଏଶନ୍‌ ଦାବି କରିଛି। ଯଦି ସରକାର ଏଦିଗରେ ପଦକ୍ଷେପ ନ ନିଅନ୍ତି ତେବେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଘରୋଇ ଶିକ୍ଷକମାନେ ଚେତାବନୀ ଦେଇଛନ୍ତି। ମଙ୍ଗଳବାର ଆସୋସିଏଶନ ପକ୍ଷରୁ ଖବରଦାତା ସମ୍ମିଳନୀରେ ଏହି ସୂଚନା ପ୍ରଦାନ କରାଯାଇଛି। ଆସୋସିଏଶନ ପକ୍ଷରୁ କୁହାଯାଇଛି ଯେ, ବିଭିନ୍ନ ସ୍କୁଲରେ ଶିକ୍ଷା ଗ୍ରହଣ କଲେ ମଧ୍ୟ ଛାତ୍ରୀଛାତ୍ର ଟ୍ୟୁଶନ୍‌ ଓ କୋଚିଂ ସେଣ୍ଟର ଉପରେ ନିର୍ଭର କରିଥାନ୍ତି। ଏବେ କୋଚିଂ ସେଣ୍ଟର ବନ୍ଦ ଯୋଗୁ ଘର ଭଡ଼ା ଦେବା ସମସ୍ୟା ହୋଇଛି। ଘର ଭଡ଼ା ବ୍ୟବସ୍ଥା କରିବା ସହ କୋଚିଂ ସେଣ୍ଟରଗୁଡ଼ିକ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯିବାକୁ ନିବେଦନ କରାଯାଇଛି। ସାମଜିକ ଦୂରତା ଅବଲମ୍ବନରେ ଶ୍ରେଣୀ ଗୃହ, ୧୫ଜଣ ଛାତ୍ରରେ ଶିକ୍ଷାଦାନ ଓ ଶତକଡ଼ା ୩୦ ଛାତ୍ରରେ ଛାତ୍ରାବାସ ଖୋଲିବା ପାଇଁ ଅନୁମତି ଦେବାକୁ ଦାବି କରାଯାଇଛି। ଆଗାମୀ ଦିନରେ ଆନ୍ଦୋଳନ ହେଲେ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଆସୋସିଏଶନର ସଭାପତି ପ୍ରସନ୍ନ କୁମାର ଚୌଧୁରୀ କହିଛନ୍ତି। ଏହି ସମ୍ମିଳନୀରେ ଆସୋସିଏଶନ ସମ୍ପାଦକ ପ୍ରଭାତ ତ୍ରିପାଠୀ, ଉପଦେଷ୍ଟା ବିଶ୍ୱରଞ୍ଜନ ଦାସ ଉପସ୍ଥିତ ଥିଲେ।

Share