କୋଚିଳାଖାଇ ଚଢେଇ ଉଦ୍ଧାର, ୩ ଗିରଫ

ଠାକୁରମୁଣ୍ଡା,୧୨ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡର ଠାକୁରମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ଘଣ୍ଟିଆଦର ଗ୍ରାମରୁ ରବିବାର ରାତିରେ ଏକ କୋଚିଲାଖାଇ ଚଢେଇ ଉଦ୍ଧାର ହୋଇଛି। ଏହି ଘଟଣାରେ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ ବନବିଭାଗ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି।
ମହୁଲଡ଼ିହା ଥାନା ପୋଲିସ ଗତ ୨୦ ତାରିଖରେ ଉଦଳା ଅଞ୍ଚଳର ୪ ଯୁବକଙ୍କୁ ଭଦୁବେଡା ନିକଟରୁ ସନ୍ଦେହରେ ଧରିଥିଲା। ଥାନାରେ ଅଟକ ରଖି ପଚରାଉଚରା ପରେ ସେମାନେ ବନ୍ୟଜନ୍ତୁ କାରବାରରେ ସମ୍ପୃକ୍ତ ଥିବା ଜଣା ପଡ଼ିଥିଲା। ପୋଲିସ ସେହି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିବା ପରେ ଗତ ୮ତାରିଖରେ ରିମାଣ୍ଡରେ ଆଣିଥିଲା। ଏସ.ଟି.ଏଫ କର୍ମଚାରୀ ସେମାନଙ୍କୁ ପଚରା ଉଚରା କରିବା ପରେ ଅଧିକ ତଥ୍ୟ ସଂଗ୍ରହ ହୋଇଥିଲା। ଏହି ତଥ୍ୟକୁ ଆଧାର କରି ୧୦ ତାରିଖ ରାତିରେ ପୋଲିସ, ବନବିଭାଗ ସମେତ ଏସ.ଟି.ଏଫ କର୍ମଚାରୀ ମିଳିତ ଭାବେ ଚଢ଼ାଉ କରିଥିଲେ। ଚଚାଉ ସମୟରେ ଘଣ୍ଟିଆଦର ଗ୍ରାମର ଗୋଲଖ ବିହାରୀ ବେହେରାଙ୍କ ନିକଟରୁ ଏକ କୋଚିଳାଖାଇ ଚଢେଇ ଉଦ୍ଧାର ହୋଇଥିଲା। ଏହି ଘଟଣାରେ ଜଡିତ ଥିବା ସେହି ଗ୍ରାମର ଧରଣୀଧର ଲୋହାର ଓ ବିଜୟ ପାତ୍ରଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଗିରଫ ୩ ଅଭିଯୁକ୍ତଙ୍କୁ ବନବିଭାଗ ବନ୍ୟ ସୁରକ୍ଷା ଆଇନ ୧୯୭୨ ଅନୁଯାୟୀ ସୋମବାର କୋର୍ଟ ଚାଲାଣ କରିଛି ।