Categories: ଖେଳ

କୋଚ୍‌ ଚୟନ ପ୍ରକ୍ରିୟାରେ କୋହଲିଙ୍କର ମତ ଦେବା ଅଧିକାର ରହିଛି: ସୌରଭ

କୋଲକାତା, ୧।୮(ପି.ଟି.)- ଅଧିନାୟକ ଭାବେ ବିରାଟ କୋହଲିଙ୍କର କୋଚ୍‌ ଚୟନ ପ୍ରକ୍ରୟାରେ ମତ ଦେବାର ଅଧିକାର ରହିଛି ବୋଲି ପୂର୍ବତନ ଟିମ୍‌ ଇଣ୍ଡିଆ ଅଧିନାୟକ ସୌରଭ ଗାଙ୍ଗୁଲି ପ୍ରକାଶ କରିଛନ୍ତି। ଆଇସିସି ବିଶ୍ୱକପର ସେମିଫାନାଲରୁ ଭାରତର ବିଦାୟ ପରେ ଗଣମାଧ୍ୟମସହ ନିଜର ପ୍ରଥମ ଭାବ ବିନିମୟ ଅବସରରେ କୋହଲି ବର୍ତ୍ତମାନର କୋଚ୍‌ ରବି ଶାସ୍ତ୍ରୀଙ୍କୁ ସମର୍ଥନ କରିଥିଲେ। ଶାସ୍ତ୍ରୀ କୋଚ୍‌ ପଦ ବଜାୟ ରଖିଲେ ସେ ଖୁସି ହେବେ ବୋଲି କହିଥିଲେ। ଭାରତର ଆଗାମୀ ଓ୍ବେଷ୍ଟଇଣ୍ଡିଜ ଗସ୍ତ ପରେ ଶାସ୍ତ୍ରୀଙ୍କର କାର୍ଯ୍ୟକାଳ ଶେଷ ହେଉଛି।
”ସେ ହେଉଛନ୍ତି ଅଧିନାୟକ। ତେଣୁ କୋଚ୍‌ ଚୟନ କ୍ଷେତ୍ରରେ ମତ ଦେବାରେ ତାଙ୍କର ପୂର୍ଣ୍ଣ ଅଧିକାର ରହିଛି“ ବୋଲି ଗାଙ୍ଗୁଲି କହିଛନ୍ତି। ୨୦୧୭ରେ ଶାସ୍ତ୍ରୀ କୋଚ୍‌ଭାବେ ମନୋନୀତ ହେବା ସମୟରେ ଗାଙ୍ଗୁଲି କ୍ରିକେଟ ପରାମର୍ଶଦାତା କମିଟି(ସିଏସି)ର ଅନ୍ୟତମ ସଦସ୍ୟ ଥିଲେ। ଏହି କମିଟିର ଅନ୍ୟ ଦୁଇ ସଦସ୍ୟ ହେଲେ ସଚିନ ତେନ୍ଦୁଲକର ଓ ଭିଭିଏସ ଲକ୍ଷ୍ମଣ। ଏବେ କୋଚ୍‌ ଚୟନ ପାଇଁ କପିଳ ଦେବ, ଅଶୁମାନ ଗାଏକ୍ୱାଡ୍‌ ଓ ଶାନ୍ତା ରଙ୍ଗାସ୍ବାମୀଙ୍କୁ ନେଇ ସିଏସି ଗଠିତ ହୋଇଛି। ଆବେଦନ ପାଇଁ ମଙ୍ଗଳବାର ଶେଷ ଦିନ ଥିବାବେଳେ ବର୍ତ୍ତମାନର କୋଚ୍‌ଭାବେ ଶାସ୍ତ୍ରୀ ସ୍ବାଭାବିକଭାବେ ଚୟନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। କପିଳଙ୍କ ନେତୃତ୍ୱାଧୀନ କମିଟି ଗତ ଡିସେମ୍ବରରେ ଡବଲ୍ୟୁ.ଭି. ରମଣଙ୍କୁ ମହିଳା ଦଳର କୋଚ୍‌ ଚୟନ କରିଥିଲା।
ପ୍ରକାଶ ଯୋଗ୍ୟ ଯେ, କୋଚ୍‌ ଚୟନ ସମୟରେ କମିଟି କାହାରି କଥାକୁ ଶୁଣିବ ନାହିଁ ବୋଲି ଅନ୍ୟତମ ସଦସ୍ୟ ଗାଏକ୍ୱାଡ ପ୍ରକାଶ କରିଥିଲେ। ”କୋହଲି କ’ଣ କହୁଛନ୍ତି କିମ୍ବା ଅନ୍ୟ କିଏ କ’ଣ କହୁଛି ତା’ର କିଛି ମାନେ ନାହିଁ। ମହିଳା ଦଳର କୋଚ୍‌ ଚୟନ ସମୟରେ ଅନେକ ବିବାଦ ଉପୁଜିଥିଲା। ଆମେ ସେତେବେଳେ ମଧ୍ୟ କାହା କଥା ଶୁଣି ନ ଥିଲୁ“ ବୋଲି ଗାଏକ୍ୱାଡ କହିଥିଲେ। କୋହଲି କିମ୍ବା ଶାସ୍ତ୍ରୀ ଯାହାବି କହିଥାନ୍ତୁ ଆମେ ବିସିସିଆଇ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବୁ। ଖବରଦାତା ସମ୍ମିଳନୀରେ କୋହଲି ଓ ଶାସ୍ତ୍ରୀ ଯାହାବି କହିଛନ୍ତି ଉଭୟଙ୍କ ଉପସ୍ଥିତିରେ, ଏଥିରେ ଆମର କିଛି ଯାଏ ଆସେ ନାହିଁ। ଆମେ ସ୍ବାଧୀନଭାବେ ମୁକ୍ତ ମନରେ କୋଚ୍‌ ଚୟନ କରିବୁ“ ବୋଲି ୬୬ ବର୍ଷୀୟ ଗାଏକ୍ୱାଡ ପ୍ରକାଶ କରିଥିଲେ।

Share