Categories: ଖେଳ

କୋଟଲାରେ ଶୀଘ୍ର ହେବ କୋହଲି ଷ୍ଟାଣ୍ଡ

ନୂଆଦିଲ୍ଲୀ,୧୯ା୮(ପିଟି): ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଉଲ୍ଲେଖନୀୟ ସଫଳତା ପାଇଁ ଦିଲ୍ଲୀ ଡିଷ୍ଟ୍ରିକ୍‌ କ୍ରିକେଟ ଆସୋସିଏଶନ (ଡିଡିସିଏ) ତାଙ୍କୁ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଛି। ଫିରୋଜ ଶାହ କୋଟଲା ଷ୍ଟାଡିୟମ୍‌ରେ ଏକ ଷ୍ଟାଣ୍ଡ କୋହଲିଙ୍କ ନାମରେ ନାମିତ କରାଯିବ। ପୂର୍ବରୁ ଦିଲ୍ଲୀ ଖେଳାଳି ବିଶେନ ସିଂ ବେଦି ଓ ମହିନ୍ଦର ଅମରନାଥଙ୍କ ନାମରେ ଦୁଇଟି ଷ୍ଟାଣ୍ଡ ରହିଛି। କିନ୍ତୁ ଏହି ସମ୍ମାନ ସେମାନଙ୍କୁ ଅବସର ପରେ ମିଳିଥିଲା। ବିଶ୍ୱ କ୍ରିକେଟରେ କୋହଲିଙ୍କ ଅନେକ ଯୋଗଦାନ ରହିଛି। ଏହା ଡିଡିସିଏକୁ ଗର୍ବିତ କରିଛି। ଏଣୁ ଆମେ ତାଙ୍କୁ ସମ୍ମାନିତ କରିବୁ ବୋଲି ଡିଡିସିଏ ସଭାପତି ରଜତ ଶର୍ମା କହିଛନ୍ତି। ଦିଲ୍ଲୀ ଷ୍ଟାଡିୟମରେ ବୀରେନ୍ଦ୍ର ସେହ୍ବାଗ ଓ ପୂର୍ବତନ ମହିଳା କ୍ରିକେଟର ଅଞ୍ଜୁମ ଚୋପ୍ରାଙ୍କ ନାମରେ ଗେଟ୍‌ ରହିଛି। ଏହା ବ୍ୟତୀତ ରାଜ୍ୟ କ୍ରିକେଟ ବୋର୍ଡ ଭାରତୀୟ ଦଳର ସଦସ୍ୟଙ୍କୁ ସେପ୍ଟେମ୍ବର ୧୨ ତାରିଖରେ ଜବାହର ଲାଲ ନେହେରୁ ଷ୍ଟାଡିୟମଠାରେ ସମ୍ମାନିତ କରିବ। ‘ବିରାଟ କୋହଲି ଷ୍ଟାଣ୍ଡ’ ଦ୍ୱାରା ବହୁ ଯୁବ ଖେଳାଳି ଅନୁପ୍ରାଣିତ ହେବେ। ସେ କେବଳ ଏକମାତ୍ର ଦିଲ୍ଲୀ ଖେଳାଳି ଭାବେ ଖେଳୁ ନାହାନ୍ତି। ଦଳରେ ଓପନର ଶିଖର ଧାଓ୍ବନ, ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଓ ପେସର ଈଶାନ୍ତ ଶର୍ମା ମଧ୍ୟ ଖେଳୁଛନ୍ତି ବୋଲି ଡିଡିସିଏ ପକ୍ଷରୁ ସଭାପତି ଶର୍ମା ଖୁସି ପ୍ରକଟ କରିଛନ୍ତି।

Share