Categories: ଖେଳ

କୋଟଲା ଷ୍ଟାଣ୍ଡ୍‌ରୁ ନା ହଟେଇଲେ ଆଇନର ଆଶ୍ରୟ ନେବି: ବିଶନ ସିଂ ବେଦୀ

ନୂଆଦିଲ୍ଲୀ,୨୭।୧୨: ସ୍ଥାନୀୟ ଫିରୋଜ ଶାହ କୋଟଲା ଗ୍ରାଉଣ୍ଡର ଦର୍ଶକଙ୍କ ଷ୍ଟାଣ୍ଡ୍‌ରୁ ତୁରନ୍ତ ନାମ ହଟାଇବା ପାଇଁ ଦାବି କରିଛନ୍ତି ସ୍ପିନ କିମ୍ବଦନ୍ତୀ ବିଶନ ସିଂ ବେଦୀ। ଯଦି ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ) ତାଙ୍କ ଦାବି ପୂରଣ ନ କରେ, ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଧମକ ଦେଇଛନ୍ତି।

ବୁଧବାର ବେଦୀ ଡିଡିସିଏକୁ ଏକ ଚିଠି ଲେଖି କୋଟଲା ଠାରେ ଏହାର ପୂର୍ବତନ ସଭାପତି ଅରୁଣ ଜେଟଲୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ବିରୋଧ କରିଥିଲେ। ଡିଡିସିଏ ପକ୍ଷରୁ କୌଣସି ପ୍ରତିକ୍ରିୟା ନ ମିଳିବାରୁ ବେଦୀ ଶନିବାର ପୁଣି ଏକ ଚିଠି ଲେଖିଛନ୍ତି।
ସେଥିରେ ” ମୁଁ ତୁମକୁ ଚିଠି ଲେଖିବାର କିଛି ଦିନ ହୋଇଗଲାଣି। ମୋର ଚିଠି ସାର୍ବଜନୀନ ହେବାର କିଛି ମିନିଟ ମଧ୍ୟରେ କ୍ରିକେଟ ଜଗତରୁ ମୋତେ ବହୁତ ସମର୍ଥନ ମିଳିଛି। କିନ୍ତୁ ମୁଁ ଦୁଃଖିତ ଯେ, ଆପଣଙ୍କଠାରୁ କୌଣସି ପ୍ରତିକ୍ରିୟା ଆସି ନାହିଁ। ଆମ ଦେଶରେ ଲୋକଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ନେବାର ଅଧିକାର ରହିଛି। କାହା ସହିତ ମୁଁ ଜଡିତ ରହିବିି ଏବଂ କେଉଁଠାରେ ମୋ ନାମର ପ୍ଲେଟ ସମ୍ମାନର ସହ ଲାଗିବ, ତାହା ସମ୍ପୂର୍ଣ୍ଣ ମୋ ନିଷ୍ପତ୍ତି । ଦୟାକରି ମୋତେ ଆଇନର ଆଶ୍ରୟ ନେବାକୁ ମୋତେ ବାଧ୍ୟ କରନ୍ତୁ ନାହିଁ“ ବୋଲି ବେଦୀ ଡିଡିସିଏ ସଭାପତି ରୋହନ ଜେଟଲୀଙ୍କୁ ଚିଠି ଲେଖିଛନ୍ତି।

ଉଲ୍ଲେଖଯୋଗ୍ୟ, ଜେଟଲିଙ୍କ ପ୍ରତିମୂର୍ତ୍ତିକୁ କୋଟଲାଠାରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଉନ୍ମୋଚନ କରିବେ। ଏହି ଅବସରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ପୂର୍ବତନ ବିସିସିଆଇ ମୁଖ୍ୟ ଅନୁରାଗ ଠାକୁରଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିବେ।

Share