କୋଟସମଲାଇ ପ୍ରିମିୟର ଲିଗ୍‌ କ୍ରିକେଟ: ପାତ୍ରପାଲି ଚାମ୍ପିୟନ

ଅମରପାଲି, ୬।୬(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇଠାରେ ଚାଲିଥିବା ଅଷ୍ଟମ କୋଟସମଲାଇ ପ୍ରିମିୟର ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲରେ ଉଲୁଣ୍ଡାକୁ ୨-୦ରେ ହରାଇ ପାତ୍ରପାଲି ଚାମ୍ପିୟନ ହୋଇଛି। ଗୁରୁବାର ଖେଳାଯାଇଥିବା ପ୍ରଥମ ଫର୍ମାଟରେ ପାତ୍ରପାଲି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୭ ଉଇକେଟ ହରାଇ ୭୧ ରନ କରିଥିଲେ। ଜବାବରେ ଉଲୁଣ୍ଡା ଦଳ ନିର୍ଦ୍ଧାରିତ ୮ ଓଭରରେ ସମସ୍ତ ଉଇକେଟ ହରାଇ ୩୫ ରନ କରିଥିଲେ। ଦ୍ୱିତୀୟ ଫର୍ମାଟରେ ପାତ୍ରପାଲି ଦଳ ନିର୍ଦ୍ଧାରିତ ୪ ଓଭରରେ ଗୋଟିଏ ଉଇକେଟ ହରାଇ ୪୨ ରନ କରିଥିଲା। ଜବାବରେ ଉଲୁଣ୍ଡା ଦଳ ନିର୍ଦ୍ଧାରିତ ୪ ଓଭରରେ ୬ ଉଇକେଟ ହରାଇ ୩୧ ରନ କରିଥିଲା। ଫଳରେ ୨-୦ରେ ବିଜୟୀ ହୋଇ ପାତ୍ରପାଲି ଚାମ୍ପିୟନ ହୋଇଥିଲା। ଟୁର୍ନାମେଣ୍ଟର ସଭାପତି ସୋମନାଥ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପୂର୍ବତନ ଜିଲା ପରିଷଦ ସଭ୍ୟ ଉତ୍ତର ପାତ୍ର ମୁଖ୍ୟଅତିଥି ଏବଂ ବହଲପଦର ସମିତି ସଭ୍ୟ ପିତାମ୍ବର ସାହୁ, କ୍ରୀଡାବିତ ପର୍ଶୁରାମ ବାରିକ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ। ଉଲୁଣ୍ଡାର ବିକାଶଙ୍କୁ ଶ୍ରେଷ୍ଠ ବୋଲର, ପାତ୍ରପାଲିର ସନତଙ୍କୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଓ ତାପସଙ୍କୁ ସିରିଜ ଭାବେ ପୁରସ୍କୃତ କରାଯାଇଥିଲା। ଚାମ୍ପିୟନ ପାତ୍ରପାଲି ଦଳକୁ ନଗଦ ୬ ହଜାର ୬୬୬ ଟଙ୍କା ସହ ଟ୍ରଫି ଓ ଉପବିଜେତା ଉଲୁଣ୍ଡା ଦଳକୁ ୪୪୪୪ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା।