Categories: ଖେଳ

କୋଟ୍‌ଲା ଟି୨୦ ବାତିଲ ହେବନାହିଁ: ଗାଙ୍ଗୁଲି

କୋଲକାତା, ୩୧ା୧୦ (ପି.ଟି.)- ରାଜଧାନୀ ଦିଲ୍ଲୀ ବାୟୁମଣ୍ଡଳରମାନ ଖରାପ ଆଡକୁ ଗତି କରିଥିଲେହେଁ ବାଂଲାଦେଶ ବିପକ୍ଷ ଓପନିଂ ଟି୨୦ ମ୍ୟାଚ ଶେଷ ମୁହୂର୍ତ୍ତରେ ବାତିଲ ହେବ ନାହିଁ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ଭବିଷ୍ୟତରେ ଦୀପାବଳି ପରେ ପରେ ଉତ୍ତର ଭାରତର କୌଣସି ଭେନ୍ୟୁରେ ମ୍ୟାଚ ଖେଳା ନ ଯାଇ ପାରେ ବୋଲି ସେ କହିଛନ୍ତି। ହରିୟାଣା ଓ ପଞ୍ଜାବର ଶସ୍ୟକ୍ଷେତ୍ରରେ ନିଆଁ ଲଗାଯିବା ସହ ଦୀପାବଳି ପାଳନ ବେଳେ ବାଣ ଫୁଟା ଦ୍ୱାରା ଜାତୀୟ ରାଜଧାରୀ ଅଞ୍ଚଳ (ଏନସିଆର୍‌)ରେ ପ୍ରତ୍ୟେକ ବର୍ଷ ବାୟୁମଣ୍ଡଳର ମାନ ହ୍ରାସ ପାଇଥାଏ। ଏ ନେଇ ହୁଏତ ପୂର୍ବରୁ ନିଷ୍ପତ୍ତି ନିଆଯାଇ ପାରିଥାନ୍ତା। ବର୍ତ୍ତମାନ ସମ୍ଭବ ନୁହେଁ। ମ୍ୟାଚ ଦେଖିବା ଲାଗି ଲୋକେ ଆଗ୍ରହର ସହିତ ଟିକେଟ କ୍ରୟ କରି ସାରିଲେଣି ବୋଲି ଗାଙ୍ଗୁଲି କହିଛନ୍ତି। ରବିବାର ବାଂଲାଦେଶ ବ୍ୟାଟ୍ସମ୍ୟାନ ଲିଟନ ଦାସ ସେମାନଙ୍କ ଦଳର ପ୍ରଥମ ଅଭ୍ୟାସ ସେସନ ବେଳେ ମୁହଁରେ ମାସ୍କ ଲଗାଇଥିବା ଦେଖିବାକୁ ମିଳିଥିଲା। ମାତ୍ର ପରେ ଜଣାପଡ଼ିଥିଲା ଯେ, ସେ ବାୟୁ ପ୍ରଦୂଷଣ ପାଇଁ ମାସ୍କ ବ୍ୟବହାର କରି ନ ଥିଲେ। ପୂର୍ବରୁ ୨୦୧୭ ଡିସେମ୍ବରରେ ଏକ ଟେଷ୍ଟ ମ୍ୟାଚ ଖେଳାଯାଉଥିବାବେଳେ ଶ୍ରୀଲଙ୍କା ଖେଳାଳିମାନେ ଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିଥିଲେ। ଦଳର ଅଧିକାଂଶ ଖେଳାଳି ସୁରକ୍ଷା ମାସ୍କ ପରିଧାନ କରିଥିଲେ। କିନ୍ତୁ ଏଣିକି ଆମକୁ ବାସ୍ତବିକତା ଉପରେ ଧ୍ୟାନ ଦେବାକୁ ପଡ଼ିବ ବୋଲି ବିସିସିଆଇର ନବ ନିର୍ବାଚିତ ମୁଖ୍ୟ କହିଛନ୍ତି। ସେ କହିଛନ୍ତି, ବିସିସିଆଇର ନୂଆ କର୍ମକର୍ତ୍ତାମାନେ ଗତ ଅକ୍ଟୋବର ୨୩ରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ମ୍ୟାଚ ସମ୍ପର୍କରେ ଯଥେଷ୍ଟ ପୂର୍ବରୁ ନିଷ୍ପତ୍ତି ନିଆଯାଇ ସାରିଛି। ତେଣୁ ବର୍ତ୍ତମାନ ପରିସ୍ଥିତିରେ କୌଣସି ନିଷ୍ପତ୍ତି ନେଇ ହେବନାହିଁ। କିନ୍ତୁ ସ୍ବଳ୍ପ ସମୟ ମଧ୍ୟରେ ବାୟୁମଣ୍ଡଳ ଅବସ୍ଥାରେ ଯାହାକିଛି ସୁଧାର ଅଣାଯାଇ ପାରିବ ସେ ଦିଗରେ ଆବଶ୍ୟକ ପଦକ୍ଷେପ ପାଇଁ ଦିଲ୍ଲୀ ସରକାରଙ୍କୁ ଅନୁରୋଧ କରାଯାଇଥିବା ଗାଙ୍ଗୁଲି ସୂଚନା ଦେଇଛନ୍ତି।

Share