କୋଟ, ଗାଉନ୍‌ ପିନ୍ଧିବେନି ଆଇନଜୀବୀ

ନୂଆଦିଲ୍ଲୀ,୧୪ା୫(ପି.ଟି.): କରୋନାଜନିତ ସ୍ବାସ୍ଥ୍ୟ ସଙ୍କଟ ଦୂର ନ ହେବା ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସୁପ୍ରିମକୋର୍ଟର ଆଇନଜୀବୀମାନେ ଶୁଣାଣି ବେଳେ କୋଟ ଓ ଲମ୍ବା ଗାଉନ ନ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ସର୍ବୋଚ୍ଚ ଅଦାଲତ ପକ୍ଷରୁ ବୁଧବାର ସନ୍ଧ୍ୟାରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଭଳି ପୋଷାକ ଭୂତାଣୁ ସଂକ୍ରମଣରେ ସହାୟକ ହୋଇପାରେ। ତେଣୁ ବର୍ତ୍ତମାନ ସମୟରେ ଏହାକୁ ବ୍ୟବହାର ନ କରିବା ଉଚିତ ବୋଲି ସିଜେଆଇ ଏସ.ଏ. ବୋବ୍‌ଡେ କହିବାର କିଛି ସମୟ ପରେ ବିଜ୍ଞପ୍ତି ପ୍ରକାଶ ପାଇଛି। କୋଟ ଓ ଲମ୍ବା ଗାଉନ ବଦଳରେ ଆଇନଜୀବୀମାନେ ଶୁଣାଣି ବେଳେ ସାଦା ଧଳା ସାର୍ଟ, ଧଳା ସାଲଓ୍ବାର-କମିଜ୍‌ ଓ ମହିଳା ଆଇନଜୀବୀମାନେ ଧଳା ଶାଢ଼ି ଓ ଧଳା ନେକ୍‌-ବ୍ୟାଣ୍ଡ ପିନ୍ଧି ଆସିବାକୁ କୁହାଯାଇଛି। ସର୍ବୋଚ୍ଚ ଅଦାଲତର ମହାସଚିବ ସଞ୍ଜୀବ ଏସ୍‌. କଲଗାଓଙ୍କର ଜାରି କରିଥିବା ଏହି ବିଜ୍ଞପ୍ତିକୁ କୋର୍ଟ ଓ୍ବେବ୍‌ସାଇଟରେ ଶେୟାର କରାଯାଇଛି।

Share