କୋଣାର୍କ ମନ୍ଦିର ମରାମତି ନାମରେ ସାଦା ପଥର ଖଞ୍ଜାଯିବା ପ୍ରସଙ୍ଗ: ସୋସିଆଲ ମିଡିଆରେ ବୁଲୁଛି ଭ୍ରମାତ୍ମକ ଫଟୋ

ଭୁବନେଶ୍ୱର,୧୧ା୨(ବ୍ୟୁରୋ)-  ବିଶ୍ୱ ଐତିହ୍ୟସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିରର ମରାମତି ନାମରେ କାରୁକାର୍ଯ୍ୟପୂର୍ଣ୍ଣ ପଥରକୁ କାଢ଼ି ସାଦା ପଥର ଲଗାଇବା ଅଭିଯୋଗକୁ ଖଣ୍ଡନ କରିଛି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ)। ଗତ କିଛିଦିନ ହେଲା ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା କୋଣାର୍କ ମନ୍ଦିରର ଫଟୋକୁ ବିଭ୍ରାନ୍ତିକର ବୋଲି କହିଛି ଏଏସ୍‌ଆଇ। ଏନେଇ ଟୁଇଟ୍‌ କରି ଏଏସ୍‌ଆଇ କହିଛି, କୋଣାର୍କ ସୂର୍ଯ୍ୟ ମନ୍ଦିରର ପୁରୁଣା କୀର୍ତ୍ତିରାଜି ଭାଙ୍ଗି ସାଦା ପଥର ଲଗାଯିବା ଖବର ସମ୍ପୂର୍ଣ୍ଣ ମିଛ। ସୋସିଆଲ ମିଡିଆରେ ବୁଲୁଥିବା ଦୁଇଟି ତୁଳନାତ୍ମକ ଫଟୋ ଜାଣିଶୁଣି ଲୋକଙ୍କୁ ଭ୍ରାନ୍ତ କରିବା ପାଇଁ ଭାଇରାଲ କରାଯାଇଛି। ଦୁଇଟି ଯାକ ଚିତ୍ର ମନ୍ଦିରର ୨ ଭିନ୍ନ ଭିନ୍ନ ସ୍ଥାନର ବୋଲି ଦର୍ଶାଇଛି ଏଏସ୍‌ଆଇ। ଏହାମଧ୍ୟରୁ ଗୋଟିଏ ଫଟୋ ନାଟମଣ୍ଡପ କୀର୍ତ୍ତିରାଜିର ହୋଇଥିବାବେଳେ ଅନ୍ୟଟି ମୁଖ୍ୟ ମନ୍ଦିର ଜଗମୋହନର ଫଟୋ, ଯାହା ସାଧାରଣ ପଥରରେ ନିର୍ମିତ ଭିତ୍ତିସ୍ତମ୍ଭର ବୋଲି ଏଏସ୍‌ଆଇ କହିଛି। ଚିତ୍ରରେ ଦର୍ଶାଯାଇଥିବା ସାଦା ପଥର କାମ ୧୯୮୦ ଦଶକର ମଧ୍ୟଭାଗରେ କରାଯାଇଛି। ଯେଉଁ ସ୍ଥାନରେ କୀର୍ତ୍ତିରାଜି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି କିମ୍ବା ପୂର୍ବରୁ କ’ଣ ରହିଥିଲା ତାହାର ପ୍ରମାଣ ନାହିଁ, ସେଠାରେ ଏଏସ୍‌ଆଇ ପଲିସି ଅନୁସାରେ ସାଦା ପଥର ଲଗାଯାଇଛି। ମନ୍ଦିରର ଭଲ ଅବସ୍ଥାରେ ଥିବା କୌଣସି କୀର୍ତ୍ତିରାଜି ବଦଳାଯାଇ ନାହିଁ ବୋଲି ଏଏସ୍‌ଆଇ ସ୍ପଷ୍ଟ କରିଛି।

Share