କୋଣାର୍କ ମହୋତ୍ସବ-୨୦୧୯: ଅଂଶଗ୍ରହଣ କରିବ ଇଣ୍ଡୋନେସିଆ ଦଳ

ଭୁବନେଶ୍ୱର,୩।୧୦(ବ୍ୟୁରୋ)- ଚଳିତ ବର୍ଷ କୋଣାର୍କ ମହୋତ୍ସବ ପାଇଁ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା। ମହୋତ୍ସବ ସହ ଜଡିତଥିବା ସମସ୍ତ ପକ୍ଷଙ୍କୁ ବୈଠକରେ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ମିଳିଥିଲା। ଗୁଣାତ୍ମକ କାର୍ଯ୍ୟକ୍ରମ ସହ ବିଶ୍ୱସ୍ତରୀୟ ସାଂସ୍କୃତିକ ବିଚିତ୍ରା ଯେପରି ପ୍ରଦର୍ଶିତ ହୋଇପାରିବ, ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି।
ଇଣ୍ଡୋନେସିଆ ଏକ ସାଂସ୍କୃତିକ ଦଳ ମହୋତ୍ସବରେ ଅଂଶ ଗ୍ରହଣ କରିବେ ବୋଲି ଜଣାପଡିଛି। ଭାରତ ବର୍ଷର କ୍ଲାସିକାଲ ନୃତ୍ୟଗୀତ ସହ ଓଡ଼ିଶୀକୁ ପ୍ରମୁଖଭାବେ ଏଥିରେ ସ୍ଥାନ ଦିଆଯାଇଥାଏ। ସବୁବର୍ଷ ପରି ଡିସେମ୍ବର ୧ରୁ ୫ ଯାଏ ଏହି ମହୋତ୍ସବ ଆୟୋଜିତ ହେବ। ପ୍ରତିଦିନ କ୍ଲାସିକାଲ ନୃତ୍ୟଗୀତ ସହ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବ। ଏହି ମହୋତ୍ସବରେ କୁଚୁପୁଡି, ଭାରତନାଟ୍ୟମ, କଥକ, ମୋହିନୀଆଟମ୍‌ ଏବଂ ମଣିପୁରୀ ପ୍ରଭୂତି ସ୍ଥାନ ପାଇବ। ପର୍ଯ୍ୟଟନ ସଚିବ ବିଶାଲଦେବ ମହୋତ୍ସବ ସମ୍ପର୍କିତ ତଥ୍ୟ ବୈଠକରେ ବିଶଦ୍‌ଭାବେ ଉପସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୈଠକରେ ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ ଓ ଅନ୍ୟ ପ୍ରମୁଖ ଅଧିକାରୀ ଉପସ୍ଥିତ ରହିଥିଲେ।

Share