କୋଣାର୍କ ସୂର୍ଯ୍ୟ ମନ୍ଦିର ମରାମତି ମାମଲା: ଆମିକସ୍‌ କ୍ୟୁରୀଙ୍କ ପକ୍ଷରୁ କ୍ଷୟକ୍ଷତି ରିପୋର୍ଟ ଦାଖଲ

କଟକ ଅଫିସ,୨୩।୭: କୋଣାର୍କ ସୂର୍ଯ୍ୟ ମନ୍ଦିର ମରାମତି ମାମଲାରେ ହାଇକୋର୍ଟ ଏନ୍‌.କେ. ମହାନ୍ତିଙ୍କୁ ସୋମବାର ଆମିକସ୍‌ କ୍ୟୁରୀ ଭାବେ ନିଯୁକ୍ତ କରିଛନ୍ତି। ମହାନ୍ତି ଅଦାଲତଙ୍କୁ କୋଣାର୍କ ମାମଲାରେ ଆବଶ୍ୟକ ପରାମର୍ଶ ଦେବେ। ସୂର୍ଯ୍ୟମନ୍ଦିରର ମରାମତି କାର୍ଯ୍ୟ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) କିପରି କରୁଛି, ପାଣି ନିଷ୍କାସନ ସମସ୍ୟା କ’ଣ ପାଇଁ ସବୁବେଳେ ଲାଗି ରହିଛି ଏସବୁ ଉପରେ ତର୍ଜମା କରି ମହାନ୍ତି ହାଇକୋର୍ଟଙ୍କୁ ରିପୋର୍ଟ ପ୍ରଦାନ କରିବେ। ସୋମବାର ଆବେଦନକାରୀ ଦିଲୀପ କୁମାର ମହାପାତ୍ରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡ. ଅଶୋକ କୁମାର ମହାପାତ୍ର ସୂର୍ଯ୍ୟମନ୍ଦିର କିପରି ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି ସେନେଇ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହାଇକୋର୍ଟ ମୁଖ୍ୟ ବିଚାରପତି କେ.ଏସ୍‌. ଝାବେରୀ ଏବଂ ବିଚାରପତି କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାକୁ ଗୁରୁତର ସହ ନେଇ ମହାନ୍ତିଙ୍କୁ ଆମିକସ୍‌ କ୍ୟୁରୀ ଭାବେ ନିଯୁକ୍ତ କରିଥିଲେ।
ସୂଚନାଯୋଗ୍ୟ, ୨୦୧୦ରୁ ସୂର୍ଯ୍ୟମନ୍ଦିରରୁ ବର୍ଷା ଜଳ ନିଷ୍କାସନ କରିବା ନେଇ ସ୍ଥାୟୀ ପଦକ୍ଷେପ ନେବାକୁ ହାଇକୋର୍ଟ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ୮ବର୍ଷ ବିତିଯାଇଛି। କିନ୍ତୁ ଏହି ସମସ୍ୟାର କୌଣସି ସ୍ଥାୟୀ ସମାଧାନ ହୋଇପାରି ନାହିଁ। ପାଣି ଜମା ହୋଇରହିବା ଫଳରେ ସୂର୍ଯ୍ୟମନ୍ଦିର ଦିନକୁଦିନ ଦୁର୍ବଳ ହେବାରେ ଲାଗିଛି। ଏହାର ସୌନ୍ଦର୍ଯ୍ୟ କ୍ଷୟ ହୋଇଚାଲିଛି। ତେଣୁ ହାଇକୋର୍ଟ ଏହି ବିଶ୍ୱ ଐତିହ୍ୟକୁ ସୁରକ୍ଷିତ ରଖିବା ଲାଗି ଏଏସ୍‌ଆଇ ଏବଂ ରାଜ୍ୟ ସରକାରଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରି ଆଇନଜୀବୀ ମହାପାତ୍ର ଏକ ମାମଲା ରୁଜୁ କରିଥିଲେ।

Share