Categories: ଖେଳ

କୋଣ୍ଟାଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି

ପ୍ୟାରିସ, ୪ା୬- ଫ୍ରେଞ୍ଚ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରେ ଜୋହାନା କୋଣ୍ଟା ତାଙ୍କ ଅସାଧାରଣ ପ୍ରଦର୍ଶନ ଜାରି ରଖିଛନ୍ତି। ୧୯୮୩ ପରେ ସେ ପ୍ରଥମ ବ୍ରିଟିଶ ମହିଳା ଖେଳାଳି ହିସାବରେ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏଠାରେ ୨୬ତମ ସିଡ୍‌ପ୍ରାପ୍ତ ବ୍ରିଟେନର ଏହି ନମ୍ବର ଓ୍ବାନ ଖେଳାଳି ଆମେରିକାର ୭ମ ସିଡ୍‌ ସ୍ଲୋଏନ୍‌ ଷ୍ଟିଫେନ୍ସଙ୍କୁ ୬-୧, ୬-୪ ସେଟ୍‌ରେ ହରାଇ ଦେଇଛନ୍ତି। ୨୮ ବର୍ଷୀୟା କୋଣ୍ଟା ତିନୋଟି ସର୍ଭିସ ବ୍ରେକ୍‌ କରିଥିବାବେଳେ ତାଙ୍କ ସର୍ଭିସ ବେଳେ ମାତ୍ର ୧୩ ପଏଣ୍ଟ ବ୍ରେକ୍‌ କରିଥିଲେ। ସେମିଫାଇନାଲରେ ସେ ୩୧ତମ ସିଡ୍‌ କ୍ରୋଏସିଆର ପେଟ୍ରା ମାର୍ଟିକ କିମ୍ବା ଚେକ୍‌ ସ୍ବଳ୍ପ ବୟସ୍କା ମାର୍କେଟା ଭନ୍‌ଡ୍ରୋସୋଭାଙ୍କୁ ଭେଟିବେ। ବ୍ରିଟିଶ ମହିଳା ଟେନିସ ଖେଳାଳି ତାଙ୍କ ତୃତୀୟ ଗ୍ରାଣ୍ଡସ୍ଲାମ ସେମିଫାଇନାଲ ଖେଳିବେ। ପୂର୍ବରୁ ସେ ୨୦୧୬ ଅଷ୍ଟ୍ରେଲିଆନ ଓପନ ଏବଂ ୨୦୧୭ ଓ୍ବିମ୍ବେଲଡନ ସେମିଫାଇନାଲରେ ପ୍ରବେଶ କରିପାରିଥିଲେ। ୩୬ ବର୍ଷ ପୂର୍ବେ ଜୋ ଡୁରି ଶେଷ ବ୍ରିଟେନ ଖେଳାଳି ହିସାବରେ ମହିଳା ସେମିଫାଇନାଲରେ ପ୍ରବେଶ କରିଥିଲେ। କୋଣ୍ଟା ଶିବାର ଫାଇନାଲରେ ପ୍ରବେଶ ସହ ତାଙ୍କଠାରୁ ଗୋଟିଏ ପାଦ ଆଗକୁ ଯିବାକୁ ଚାହିଁବେ ନିଶ୍ଚୟ। ସୂଚନାଯୋଗ୍ୟ, କୋଣ୍ଟା ଏହା ପୂର୍ବରୁ ରୋଲାଣ୍ଡ ଗ୍ୟାରୋସଠାରେ ଗୋଟିଏ ହେଲେ ମ୍ୟାଚ ଜିତିବାରେ ସମର୍ଥ ହୋଇ ନ ଥିଲେ।

Share