Categories: ଖେଳ

କୋଥାଜିତ୍‌ ଖେଳିଲେ ୨୦୦ତମ ମ୍ୟାଚ୍‌

ନୂଆଦିଲ୍ଲୀ, ୧୯ା୮- ଜାପାନର ଟୋକିଓଠାରେ ଚାଲିଥିବା ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ହକି ଟୁର୍ନାମେଣ୍ଟରେ ରବିବାର କ୍ୟାରିୟରର ୨୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ମାଇଲଖୁଣ୍ଟ ସ୍ପର୍ଶ କରିଛନ୍ତି ଭାରତର କୋଥାଜିତ୍‌ ସିଂ ଖାଡାଙ୍ଗବାମ୍‌। ୨୦୧୨ ମସିହାରୁ ଭାରତୀୟ ସିନିୟର ଦଳରୁ ଖେଳିଆସୁଥିବା ଏହି ମଣିପୁରୀ ଡିଫେଣ୍ଡର ଗତ ଶନିବାର ୨୭ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୨୦୧୪ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ଏବଂ ୨୦୧୪ ଇଞ୍ଚତ୍ଅନ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ। କୋଥାଜିତ୍‌ଙ୍କ ଚିତ୍ତାକର୍ଷକ ଗୋଲ ଯୋଗୁ ଫାଇନାଲ ବରାବର ସ୍ଥିତିରେ ଶେଷ ହୋଇଥିଲା ଏବଂ ଫଳାଫଳ ପେନାଲ୍ଟି ଶୁଟ୍‌ଆଉଟରୁ ନିର୍ଣ୍ଣିତ ହୋଇଥିଲା। ଏହା ବ୍ୟତୀତ ସେ ୨୦୧୬ ରିଓ ଅଲିମ୍ପିକ୍ସ, ୨୦୧୮ ହକି ବିଶ୍ୱକପ୍‌ରେ ମଧ୍ୟ ଭାରତୀୟ ଦଳର ସଦସ୍ୟ ଥିଲେ। ”ମୁଁ ଗତ ୭ ବର୍ଷ ଧରି ଜାତୀୟ ଦଳର ସଦସ୍ୟ ରହି ଆସିଥିବାରୁ ଗର୍ବିତ। ଦୀର୍ଘପଥ ଅତିକ୍ରମ କରି ଆସିବା ମଧ୍ୟରେ ମୋର ଅନେକ ସ୍ମରଣୀୟ ଅନୁଭୂତି ମଧ୍ୟ ରହିଛି। ଦେଶ ପାଇଁ ୨୦୦ତମ ମ୍ୟାଚ୍‌ ଖେଳିବା ଅବସରରେ ପିନ୍ଧିଥିବା ଜର୍ସିର ଅନେକ ମହତ୍ତ୍ୱ ରହିଛି। ଦୀର୍ଘପଥ ଯାତ୍ରା ମଧ୍ୟରେ ଡ୍ରେସିଂ ରୁମ୍‌ରେ ଅନେକ ନୂଆ ସାଥୀଙ୍କୁ ପାଇଛି। ମୋତେ ସମର୍ଥନ କରିଆସିଥିବାରୁ ମୋର ଦଳୀୟ ସାଥୀ ଏବଂ ସପୋର୍ଟ ଷ୍ଟାଫ୍‌ଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ୨୦୨୦ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟ ଆସୁଥିବାରୁ ଭାରତୀୟ ଦଳ ପାଇଁ ଏହା ଏକ କଠିନ ସମୟ“ ବୋଲି କୋଥାଜିତ୍‌ ପ୍ରକାଶ କରିଛନ୍ତି। ମ୍ୟାଚ୍‌ ପୂର୍ବରୁ କୋଚ୍‌ ଗ୍ରାହାମ ରିଡ୍‌ କୋଥାଜିତ୍‌ଙ୍କୁ ୨୦୦ ନମ୍ବର ଲେଖାଥିବା ଜର୍ସି ପ୍ରଦାନ କରିଥିଲେ। ହକି ଇଣ୍ଡିଆ ପକ୍ଷରୁ ସଭାପତି ମହମ୍ମଦ ମୁସ୍ତାକ ଅହମ୍ମଦ କୋଥାଜିତ୍‌ଙ୍କୁ ଅଭିନନ୍ଦନ ଜଣାଇଥିଲେ।

Share