Categories: ଖେଳ

କୋପା ଆମେରିକା: ଆର୍ଜେଣ୍ଟିନାକୁ ବ୍ରୋଞ୍ଜ

ରିଓ ଡେ ଜାନିରୋ,୭।୭(ଏଏଫ୍‌ପି)- ଚଳିତ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟର ପ୍ଲେ ଅଫ୍‌ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ଚିଲିକୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛି। ମ୍ୟାଚ୍‌ ଆରମ୍ଭରୁ ଆର୍ଜେଣ୍ଟିନା ଦଳ ଆଟାକିଂ ଖେଳ ପ୍ରଦର୍ଶନ କରିଥିଲା। ଫଳରେ ୧୨ତମ ମିନିଟ୍‌ରେ ସେର୍ଗିଓ ଅଗୁରୋ ଦଳ ପାଇଁ ଖାତା ଖୋଲିଥିଲେ। ମ୍ୟାଚ୍‌ର ୨୨ତମ ମିନିଟ୍‌ରେ ପଲ ଡିବାଲା ଦଳର ଅଗ୍ରଣୀକୁ ଦ୍ୱିଗୁଣିତ କରିଥିଲେ। ମ୍ୟାଚ୍‌ର ୩୭ତମ ମିନିଟ୍‌ରେ ଆର୍ଜେଣ୍ଟିନା ଷ୍ଟାର ଲିଓନେଲ ମେସି ଓ ଚିଲି ଅଧିନାୟକ ଗାରି ମେଡେଲ ଫିଲ୍ଡରେ ଯୁକ୍ତିତର୍କ କରିଥିଲେ। ଏଥିଯୋଗୁ ଦୁଇ ଖେଳାଳିଙ୍କ ରେଫରି ରେଡ୍‌ କାର୍ଡ ଦେଇଥିଲେ। ଏଥିନେଇ ଫିଲ୍ଡରେ କିଛି ସମୟ ଧରି ବିବାଦ ଦେଖାଦେଇଥିଲା। ଚିଲିକୁ ଦ୍ୱିତୀୟାର୍ଦ୍ଧରେ ମିଳିଥିବା ପେନାଲ୍ଟି ଦ୍ୱାରା ଆର୍ଟୁରୋ ଭିଡାଲ (୫୯ତମ) ଗୋଟିଏ ଗୋଲ ପରିଶୋଧ କରିଥିଲେ। ଏହାପରେ ବହୁ ଉଦ୍ୟମ ସତ୍ତ୍ୱେ ଚିଲି ମ୍ୟାଚ୍‌କୁ ଫେରିବାକୁ ସକ୍ଷମ ହୋଇ ନ ଥିଲା।

Share